fbpx

ରୁଷ-ୟୁକ୍ରେନ ଯୁଦ୍ଧ: ଭାରତକୁ ସହାୟତା ମାଗିଲା ୟୁକ୍ରେନ

ନୂଆଦିଲ୍ଲୀ: ରୁଷ ସହ ଯୁଦ୍ଧ ମଧ୍ୟରେ ଭାରତର ସହାୟତା ମାଗିଛି ୟୁକ୍ରେନ୍ । ୟୁକ୍ରେନର ରାଷ୍ଟ୍ରଦୂତ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ ୟୁକ୍ରେନ ଦୂତାବାସ ପକ୍ଷରୁ ଏହି ସହାୟତା ଲୋଡ଼ାଯାଇଛି । ସାଂପ୍ରତିକ ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛି ୟୁକ୍ରେନ୍ ।

ୟୁକ୍ରେନର ରାଷ୍ଟ୍ରଦୂତ ଇଗୋର ପୋଲଖା କହିଛନ୍ତି ଯେ, ‘ଭାରତ ଓ ରୁଷର ସମ୍ପର୍କ ଭଲ ଅଛି । ୟୁକ୍ରେନ-ରୁଷ ବିବାଦକୁ ନିୟନ୍ତ୍ରଣ କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ । ଏଭଳି ସ୍ଥିତିରେ ପୁଟିନଙ୍କ ସହ ମୋଦୀଙ୍କ ଆଲୋଚନା ଫଳପ୍ରଦ ରହିବ । ମାମଲାରେ ମୋଦୀ ହସ୍ତକ୍ଷେପ କରି ପୁଟିନଙ୍କ ସହ ଆଲୋଚନା କରିବାକୁ ଅନୁରୋଧ କରୁଛୁ । ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରୁଛୁ କି ସେ ତୁରନ୍ତ ରୁଷର ରାଷ୍ଟ୍ରପତି ପୁଟିନ୍ ଓ ଆମ ରାଷ୍ଟ୍ରପତି ଭଲୋଡିମିର ଜେଲେନକ୍ସିଙ୍କ ସହ ଯୋଗାଯୋଗ କରନ୍ତୁ । ଆଲୋଚନା ଦ୍ୱାରା ବିବାଦର ସାମଧାନ ହୋଇପାରିବ ।’

ଏହା ସହ ପ୍ରେସମିଟରେ ସେ କହିଛନ୍ତି ଯେ, ‘ସୀମାବର୍ତ୍ତୀ ଅଞ୍ଚଳରେ ସକାଳେ ବିସ୍ଫୋରଣ ହୋଇଛି । ୫ଟି ରୁଷ ବିମାନକୁ ମାରି ଖସାଇ ଦେଇଛୁ । ୟୁକ୍ରେନ ସୀମା ଶକ୍ତିଶାଳୀ ଅଛି । ରୁଷର ୨ଟି ହେଲିକପ୍ଟରକୁ ଧ୍ୱଂସ କରିଛୁ । ୟୁକ୍ରେନର ଲୋକେ ରୁଷ ବିରୋଧରେ ଲଢ଼େଇ ଜାରି ରଖିବେ ।’

ତେବେ ୟୁକ୍ରେନ-ରୁଷିଆ ବିବାଦ ଉପରେ ଭାରତର ଆଭିମୁଖ୍ୟ ବର୍ତ୍ତମାନ ସୁଦ୍ଧା ନିରପେକ୍ଷ ରହିଛି । ଅର୍ଥାତ୍ ଭାରତ ବର୍ତ୍ତମାନ ସୁଦ୍ଧା ଯୁଦ୍ଧ ବା ଗତିରୋଧରେ କାହା ପକ୍ଷରେ ନାହିଁ । ଯୁଦ୍ଧରେ ଭାରତର ଆଭିମୁଖ୍ୟ ନିରପେକ୍ଷ ଓ ଏହାକୁ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଶା କରୁଛି ବୋଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.