fbpx

ନୂଆ ଦଳ ଗଠନ କରିବେ ପାଇଲଟ? ଆଗକୁ ବିଧାନସଭା ନିର୍ବାଚନ, ରାଜସ୍ଥାନ ରାଜନୀତିରେ ବିସ୍ଫୋରଣ ଘଟିବ

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶର ରାଜନୈତିକ ବାତାବରଣ ସେଇ ଅନୁପାତରେ ସରଗରମ୍ ହେବାରେ ଲାଗିଛି । ସାଧାରଣ ଭାବେ ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନଙ୍କରେ ନେତାଙ୍କର ଦଳ ଡିଆଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥାଏ । ଆସନ୍ତା ମାସରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବେଳେ ଆଗକୁ ୬ଟି ରାଜ୍ୟରେ ମଧ୍ୟ ନିର୍ବାଚନ ହେବ । ତେବେ ସବୁଠାରୁ ବଡ଼ କଥା ହେଉଛି ଚଳିତ ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବ ।

ତେବେ ଏହା ମଧ୍ୟରେ ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟଙ୍କୁ ନେଇ ଏକ ବଡ଼ ଚର୍ଚ୍ଚା ହେଉଛି । କର୍ଣ୍ଣାଟକ ନିର୍ବାଚନ ପାଇଁ କଂଗ୍ରେସ ଜାରି କରିଥିବା ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକାରେ ପାଇଲଟଙ୍କ ନାମ ନାହିଁ । ଅନ୍ୟପକ୍ଷରେ ପାଇଲଟଙ୍କ କଟ୍ଟର ବିରୋଧୀ ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାମ ତାଲିକାରେ ରହିଛି । ତେବେ ଅତୀତରେ ଏକାଧିକ ବାର ପକ୍ଷପାତିତାର ଶିକାର ହୋଇଥିବା ପାଇଲଟଙ୍କୁ ପୁଣି ଥରେ ଦଳରେ ଅଣଦେଖା କରାଯାଇଛି ।

ବହୁ ସମୟରେ ଗେହଲଟ ସରକାରଙ୍କ ବିରୋଧରେ ବୟାନ ଦେଇ ପରୋକ୍ଷରେ ଦଳର କ୍ଷତି କରିଚାଳିଛନ୍ତି ପାଇଲଟ । ଏକଥା ବୋଧହୁଏ ଦଳର ହାଇକମାଣ୍ଡଙ୍କୁ ହୃଦବୋଧ ହୋଇଛି । ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ଅଧ୍ୟକ୍ଷ ନିର୍ବାଚନ ସମୟରେ ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ସିଧାସିଧା ବେଖାତିର କରିଦେଇଥିଲେ ଗେହଲଟଙ୍କ ଗୋଷ୍ଠୀର ବିଧାୟକମାନେ । କେନ୍ଦ୍ରୀୟ ନେତୃତ୍ୱ ଏହି ପ୍ରସଙ୍ଗରେ ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଅନୁମାନ କରାଯାଉଥିଲା, ମାତ୍ର ପରବର୍ତ୍ତୀ ସମୟରେ ଗେହଲଟଙ୍କର କିଛି ହୋଇନଥିଲା ।

ପାଇଲଟ ପୂର୍ବରୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ଦାୟିତ୍ୱରେ ରହିଥିଲେ । ଗେହଲଟଙ୍କ ବିରୋଧରେ ବିଦ୍ରୋହ ପାଇଁ ହିଁ ତାଙ୍କୁ ନିଜର ପଦ ହରାଇବାକୁ ପଡ଼ିଥିଲା । ପାଇଲଟଙ୍କୁ ରାହୁଲ ଗାନ୍ଧିଙ୍କ ବିଶ୍ୱସ୍ତ ଓ ଗେହଲଟଙ୍କୁ ସୋନିଆ ଗାନ୍ଧିଙ୍କ ବିଶ୍ୱସ୍ତ ବୋଲି କୁହାଯାଇଥାଏ । ତେବେ ପାଇଲଟଙ୍କ ଏହି ଆକ୍ରମଣାତ୍ମକ ଆଚରଣ ଦଳକୁ ପରୋକ୍ଷରେ କ୍ଷତି ପହଞ୍ଚାଉଛି । ଅନ୍ୟପଟେ ପାଇଲଟ ଦଳରେ କଣଠେସା ହେବାରେ ଲାଗିଛନ୍ତି । ତେଣୁ ଏପରି ସ୍ଥିତିରେ ପାଇଲଟ କରିବେ କ’ଣ । ଆଉ କିଛି ମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ସାରା ଦେଶରେ ହାତଗଣତି କିଛି ରାଜ୍ୟରେ କଂଗ୍ରେସ ସରକାର ଥିବାରୁ ଏଥର ମଧ୍ୟ ଦଳ ରାଜସ୍ଥାନରେ କ୍ଷମତା ବଜାୟ ରଖିବାକୁ ଯଥାସାଧ୍ୟ ପ୍ରୟାସ କରିବ । ତେଣୁ ସେ ସମୟରେ ପାଇଲଟଙ୍କ ଭୂମିକା କ’ଣ ରହିବ? ସେ କଂଗ୍ରେସ ଛାଡ଼ିବେ ନା ନିଜେ ଏକ ନୂଆ ଦଳ ଗଠନ କରିବେ । ହୋଇପାରେ ପାଇଲଟ ଏ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି ।

ତେବେ ଆଗକୁ ପାଇଲଟ କ’ଣ କରିବେ ସେନେଇ ସେ ନିଜେ ନିଷ୍ପତ୍ତି ନେବେ । ତେବେ ଯଦି ସେ ନୂଆ ଦଳ ଗଠନ କରନ୍ତି, ତେବେ ରାଜସ୍ଥାନ ରାଜନୀତି ଓଲଟ ପାଲଟ ହୋଇଯିବ । କାରଣ ବର୍ତ୍ତମାନ ରାଜ୍ୟରେ କଂଗ୍ରେସ ସରକାର ରହିଥିବା ବେଳେ ପାଇଲଟ ଯୁଆଡ଼େ ଯିବେ ତାଙ୍କ ସହ ୨୦-୩୦ ବିଧାୟକ ଯାଇ ପାରନ୍ତି । ଏଭଳି ସ୍ଥିତିରେ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବ । ଅନ୍ୟପକ୍ଷରେ କଂଗ୍ରେସ ସରକାରର ପତ୍ତନ ଘଟାଇବା ପାଇଁ ବିରୋଧୀ ବିଜେପି ତ ଅପେକ୍ଷା କରି ରହିଛି । ଦେଖାଯାଉ ଆଗକୁ କ’ଣ ଘଟୁଛି ।

Get real time updates directly on you device, subscribe now.