fbpx

ଭାରତକୁ ‘ଘନିଷ୍ଠ ମିତ୍ର’ କହିଲେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ, ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ତଥା ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଲେ

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ୩ ଦିନିଆ ମାଳଦ୍ୱୀପ ଗସ୍ତରେ ଅଛନ୍ତି । ମାଳଦ୍ୱୀପର ରାଜଧାନୀ ‘ମାଲେ’ରେ ପହଂଚିବା ପରେ ଏୟାରପୋର୍ଟରେ ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ମୁସା ଜମୀର(Moosa Zameer) ତାଙ୍କୁ ସ୍ୱାଗତ କରିଥିଲେ । ଶୁକ୍ରବାର ଦୁହିଁଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଏହା ସହ ଉଭୟ ମିଳିତ ଭାବେ ୬ ହାଇ ଇମ୍ପାକ୍ଟ କମ୍ୟୁନିଟି ଡେଭେଲପମେଣ୍ଟ ପ୍ରୋଜେକ୍ଟର ଉଦ୍‌ଘାଟନ କରିଥିଲେ । ଶନିବାର(ଅଗଷ୍ଟ ୧୦) ଜୟଶଙ୍କର ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ(Mohamed Muizzu)ଙ୍କୁ ଭେଟି ଥିଲେ । କହିରଖୁଛୁ ଭାରତ ଏବଂ ମାଳଦ୍ୱୀପ ବିବାଦ ପରେ ପ୍ରଥମ ଥର ପାଇଁ ଭାରତୀୟ ମନ୍ତ୍ରୀ ମାଳଦ୍ୱୀପ ଗସ୍ତ କରିଛନ୍ତି । ଦିନେ ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜ୍ଜୁ ଭାରତର ବିରୋଧ କରୁଥିଲେ ବର୍ତ୍ତମାନ ସେ ଦେଶର ପ୍ରଶଂସା କରୁଥିବା ଚର୍ଚ୍ଚାର ବିଷୟ ପାଲଟିଛି ।

ଶନିବାର ରାଷ୍ଟ୍ରପତି କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତକୁ ‘ଘନିଷ୍ଠ ସହଯୋଗୀ’ ଏବଂ ‘ଅମୂଲ୍ୟ ପାର୍ଟନର’ ଭାବେ ବର୍ଣ୍ଣନା କରିଥିଲେ । ଏହା ସହ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଐତିହାସିକ ତଥା ଦୃଢ଼ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ମାଳଦ୍ୱୀପର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ଭାରତ ସରକାରଙ୍କ ସହଯୋଗରେ ମାଳଦ୍ୱୀପର ୨୮ଟି ଦ୍ୱୀପାଞ୍ଚଳରେ ପାନୀୟ ଜଳ ଯୋଗାଣ ଓ ସ୍ୱେରେଜ ବ୍ୟବସ୍ଥାର ଲୋକାର୍ପଣ ଉତ୍ସବରେ ଉଦ୍‌ବୋଧନ ଦେଇ ମୁଇଜ୍ଜୁ କହିଥିଲେ, ‘ଭାରତ ଓ ମାଳଦ୍ୱୀପ ମଧ୍ୟରେ ଦୀର୍ଘ ବର୍ଷ ହେବ ସୁସମ୍ପର୍କ ରହି ଆସିଛି । ଭାତର ଅନେକ କ୍ଷେତ୍ରରେ ମାଳଦ୍ୱୀପକୁ ସହାୟତା ପ୍ରଦାନ କରିଆସୁଛି । ଦେଶର ଆର୍ଥିକ ଓ ସାମଗ୍ରିକ ବିକାଶରେ ଭାରତର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଆଗାମୀ ଦିନରେ ଭାରତ ସହ ସୁସମ୍ପର୍କ ବଜାୟ ରଖିବା ପାଇଁ ମାଳଦ୍ୱୀପ ସରକାର ସବୁ ପ୍ରକାର ଉଦ୍ୟମ କରିବେ । ପରସ୍ପର ପ୍ରତି ସମ୍ମାନ ଓ ସହଭାଗିତା ଭବିଷ୍ୟତରେ ଉଭୟ ଦେଶକୁ ଅଧିକ ବିକଶିତ କରିବ ।’ ମାଳଦ୍ୱୀପ ସହ ସମ୍ପର୍କକୁ ଅହୁରି ମଜବୁତ କରିବାକୁ ସେଠାକୁ ଯାଇଥିବା ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଉଦ୍ୟମକୁ ମୁଇଜ୍ଜୁ ପ୍ରଶଂସା କରିଥିଲେ । ଏହା ସହ ମୁଇଜ୍ଜୁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାରତ ସରକାର ଏବଂ ଭାରତୀ ମୈତ୍ରୀପୂର୍ଣ୍ଣ ଲୋକଙ୍କ ପ୍ରତି ଆଭାର ବ୍ୟକ୍ତ କରିଥିଲେ ।

 

Get real time updates directly on you device, subscribe now.