Breaking: ଶିଖ ଦଙ୍ଗା ମାମଲାରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ

ସରସ୍ବତୀ ବିହାରରେ ଶିଖ୍‌ ବାପ-ପୁଅ ହତ୍ୟା ମାମଲାରେ ସଜ୍ଜା । ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ ।

ନୂଆଦିଲ୍ଲୀ: ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଏହି ଦଣ୍ଡ ଶୁଣାଇଛନ୍ତି ।

୧୯୮୪ ମସିହା ନଭେମ୍ବର ୧ ତାରିଖରେ ଦିଲ୍ଲୀର ସରସ୍ୱତୀ ବିହାର ଅଞ୍ଚଳରେ ଦୁଇ ଶିଖ ଜସୱନ୍ତ ସିଂହ ଏବଂ ତାଙ୍କ ପୁଅ ତରୁଣଦୀପ ସିଂହଙ୍କୁ ନିର୍ମମ ହତ୍ୟା କରାଯାଇଥିଲା । ଏହି ମାମଲାରେ ଆଜି କୋର୍ଟ ତାଙ୍କ ବିରୋଝରେ ଦଣ୍ଡାଦେଶ ଶୁଣାଇଛନ୍ତି ।

ମୃତ୍ୟୁ ଦଣ୍ଡାଦେଶ ଦାବି ହୋଇଥିଲା-   ଦିଲ୍ଲୀ ପୋଲିସ ଏବଂ ପୀଡିତମାନେ ଏହି ମାମଲାକୁ ବିରଳତମ ଶ୍ରେଣୀର ବିରଳ ବୋଲି ବିବେଚନା କରିଥିଲେ ଏବଂ ସଜ୍ଜନ କୁମାରଙ୍କ ବିରୋଧରେ ମୃତ୍ୟୁଦଣ୍ଡ ଦାବି କରିଥିଲେ । ତଥାପି, କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଏହି ଘଟଣା ସହିତ ଜଡିତ ଏଫଆଇଆର ଉତ୍ତର ଦିଲ୍ଲୀର ସରସ୍ୱତୀ ବିହାର ପୋଲିସ ଷ୍ଟେସନରେ ପଞ୍ଜିକୃତ ହୋଇଥିଲା। ରଙ୍ଗନାଥ ମିଶ୍ର କମିଶନଙ୍କ ସମ୍ମୁଖରେ ଅଭିଯୋଗକାରୀଙ୍କ ଦ୍ୱାରା ଦିଆଯାଇଥିବା ସତ୍ୟପାଠ ଆଧାରରେ ଏଫଆଇଆର ପଞ୍ଜିକୃତ ହୋଇଥିଲା । ତାଙ୍କୁ ଫେବୃଆରୀ ୧୨ ତାରିଖରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଆଜି ତାଙ୍କୁ ଆଜୀବନ ସଜା ନେଇ ଘୋଷଣା କରାଯାଇଛି ।

ସଜ୍ଜନଙ୍କର ବୟାନ- ରାୟ ପ୍ରକାଶ ପାଇବା ପୂର୍ବରୁ, ସଜ୍ଜନ କୁମାର ଦଣ୍ଡରେ କୋହଳତା ପାଇଁ ଆବେଦନ କରିଥିଲେ । ସେ ତାଙ୍କ ଯୁକ୍ତିରେ କହିଥିଲେ ଯେ ଏହି ମାମଲାରେ ମୋତେ ମୃତ୍ୟୁଦଣ୍ଡ ଦେବାର କୌଣସି ଆଧାର ନାହିଁ ।

ସଜ୍ଜନ କୁମାର କହିଥିଲେ, “ମୁଁ 80 ବର୍ଷ ବୟସ୍କ। ବୟସ ବୃଦ୍ଧି ଯୋଗୁଁ ମୁଁ ଅନେକ ରୋଗରେ ପୀଡିତ। ମୁଁ ୨୦୧୮ ମସିହାରୁ ଜେଲରେ ଅଛି। ସେବେଠାରୁ ମୁଁ କୌଣସି ପରୋଲ ପାଇନାହିଁ ।”

ଆହୁରି ମଧ୍ୟ କହିଥିଲେ ଯେ, ୧୯୮୪ ଦଙ୍ଗା ପରେ ମୁଁ କୌଣସି ଅପରାଧିକ ମାମଲାରେ ଜଡିତ ନୁହେଁ।  ଜେଲରେ ବିଚାର ସମୟରେ ମୋର ଆଚରଣ ସର୍ବଦା ଭଲ ଥିଲା ।  ମୋ ବିରୁଦ୍ଧରେ କୌଣସି ଅଭିଯୋଗ ଆସିନଥିଲା।