ଆଳୁକୁ ପୂଜା କରିବା ପାଇଁ ଲାଗିଲା ଭିଡ଼, ବହୁ ଦୂରରୁ ଆସୁଛନ୍ତି ଲୋକେ, ଜାଣନ୍ତୁ କାହିଁକି କହୁଛନ୍ତି ଭଗବାନଙ୍କ ଅବତାର

ଆଳୁ ଦିଶିଲା ଭଗବାନ ବିଷ୍ଣୁଙ୍କ ଚାରୋଟି ଅବତାର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରେ ଏକ ଅଦ୍ଭୁତ ଘଟଣା ଘଟିଛି। ଏଠାରେ ଆଳୁରେ ଭଗବାନ ବିଷ୍ଣୁଙ୍କର କଚ୍ଛପ, ମତ୍ସ୍ୟ ଏବଂ ବରାହ ଅବତାର ରୂପ ଦେଖିବାକୁ ମିଳିଥିବା ବେଳେ ଶେଷନାଗଙ୍କର ରୂପ ଆଳୁରେ ଦୃଶ୍ୟମାନ ହୋଇଛି।

ଏହି ଆଳୁକୁ ବର୍ତ୍ତମାନ ପୂଜା କରିବାରେ ଲାଗିଛନ୍ତି ଲୋକେ। ବର୍ତ୍ତମାନ ଏହି ଆଳୁକୁ ଶଙ୍କର କଲେଜ ପାଖରେ ଥିବା ତୁଳସୀ ମାନସ ମନ୍ଦିରରେ ରଖାଯାଇଛି। ଏହାକୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।

ମନ୍ଦିରର ପୂଜାରୀଙ୍କ କହିବାନୁଯାୟୀ, ଏହି ଆଳୁ ବଂଶ ଗୋପାଳ ତୀର୍ଥ ପାଖରେ ଥିବା କେମା ଗାଁରେ ବାହାରିଛି ଏବଂ ଏଥିରେ ଭଗବାନ ବିଷ୍ଣୁ ଏବଂ ଶେଷନାଗଙ୍କ ଅବତାର ରୂପ ଦେଖିବାକୁ ମିଳିଛି।

ଶ୍ରଦ୍ଧାଳୁଙ୍କ କହିବାନୁଯାୟୀ, ଏହି ଆଳୁ ଏକ ଚମତ୍କାର ଏବଂ ଏଥିରେ ଭଗବାନଙ୍କ ଶକ୍ତି ରହିଛି। ଲୋକେ ଏହି ଆଳୁକୁ ଦେଖିବା ପାଇଁ ବହୁ ଦୂରରୁ ଆସୁଛନ୍ତି ଏବଂ ଏହାକୁ ପୂଜା କରୁଛନ୍ତି।

ଆଳୁକୁ ଫୁଲମାଳ ପିନ୍ଧାଯାଇଛି: ଏହି ଆଳୁକୁ ଫୁଲମାଳ ପିନ୍ଧାଯାଇଛି। ଆଳୁକୁ ଭଗବାନଙ୍କ ଅଂଶ ବୋଲି କୁହାଯାଇ, ପୂଜା କରାଯାଉଛି। ମନ୍ଦିରର ପଣ୍ଡିତ ଆଳୁକୁ ନେଇ କହିଛନ୍ତି ଯେ, ଏହା ଭଗବାନଙ୍କ ଲୀଳା, ଯାହା ଚଳିତ ବର୍ଷ ଖୁସିକୁ ନେଇ ଆସିଛି।

ସେ ଆଗକୁ କହିଛନ୍ତି ଯେ, ଏହି ଆଳୁରେ ଭଗବାନଙ୍କ ଆକୃତିରେ ଭଗବାନ ନନ୍ଦୀ, ଶଙ୍କର, କଚ୍ଛପ, ମତ୍ସର ଆକୃତି ସ୍ପଷ୍ଟ ଭାବେ ନଜର ଆସୁଛି।