fbpx

ହାତରେ ସାପକୁ ଧରି ଦେଖାଉଥିଲେ ଖେଳ, ଘଟିଗଲା ଏମିତି…

ହାତରେ ଡମ୍ବରୁ ଆଉ ଆଗରେ ଅଛି ପେଡି । ପେଡି ଭିତରେ ସାପ ରଖି ଖେଳାଉଛନ୍ତି ଯୁବକ । ଆଉ ଏହାପରେ ସାପ ହଠାତ ରାଗିଯାଉଛି, ଫଣା ଟେକି ବ୍ୟକ୍ତିଙ୍କୁ ଚୋଟ ମାରୁଛି । ଫଳରେ ମୃତ୍ୟୁ ହୋଇଛି ଯୁବକଙ୍କର । ଏଭଳି ଏକ ଖବର କେନ୍ଦୁଝର ଆନନ୍ଦପୁର ଥାନା ଶାଳବଣି ଗାଁ ରେ ଘଟିଛି ।

ସାପଧରି ଖେଳାଉଥିବା ଜଣେ ଯୁବକଙ୍କୁ ସାପ କାମୁଡିବାରୁ ତାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ସେହି ଗାଁର ଦୈତାରୀ ନାଥ । ଦୈତାରୀ ସାପ ଧରିବାରେ ସିଦ୍ଧହସ୍ତ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଆଖପାଖ ଅଞ୍ଚଳରେ କାହାରି ଘରେ ସାପ ପସିଗଲେ ଦୈତାରି ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡି ଆସିଥାନ୍ତି ।

ତେବେ ଆଜି କୌଣସି ସ୍ଥାନରୁ ଦୈତାରୀ ଏକ ନାଗ ସାପ ଉଦ୍ଧାର କରି ଆଣିଥିଲେ । ସେହି ସାପକୁ ଜଙ୍ଗଲକୁ ଛାଡିବା ସମୟରେ ଅସାବଧାନତାରୁ ସାପଟି ତାଙ୍କ ନିୟନ୍ତ୍ରଣ ବାହାରକୁଯାଇ ହାତକୁ ଚୋଟ ମାରିଚାଲିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ପହଁଞ୍ଚାଇଥିଲେ ପରିବାର ଲୋକେ । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିବା ଜଣାପଡିଛି ।

ସବୁ ବେଳେ ଯେ ସମୟ ଠିକ ରହିବ ତାହା ଭାବିବା ଭୁଲ । ତେଣୁ ବେଳ ଥାଉ ଥାଉ ଆମ ନିଜକୁ ସାବଧାନ ହେବା ଦରକାର ।

Get real time updates directly on you device, subscribe now.