fbpx

ସତ୍ୟବାଦୀ ବିରଗୋବିନ୍ଦପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଦକ୍ଷିଣକାଳୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ରୋଚକ କଥା

ସାକ୍ଷୀଗୋପାଳ(ଓଡିଶା ଭାସ୍କର): ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯିବା ବାଟରେ ସାକ୍ଷୀଗୋପାଳ ଠାରୁ ୪ କିଲୋମିଟର ପରେ ବାମ ପଟେ ଅବସ୍ଥିତ ବୀର ଗୋବିନ୍ଦପୁର ଶାସନ ଗ୍ରାମ । ଗ୍ରାମ ସମ୍ମୁଖରେ ଏକ ଉଚ୍ଚ ତୋରଣ ସ୍ବାଗତ କରେ ଭକ୍ତ ଏବଂ ଦର୍ଶକ ମାନଙ୍କୁ । ଏହି ବ୍ରାହ୍ମଣ ଶାସନ ଗାଁ ର ଦୁଇ ମୁଣ୍ଡରେ ଦୁଇଟି ପୋଖରୀ, ଦୁର୍ଗା ମାଧବ ମନ୍ଦିର, ନୋଡାଲ ବିଦ୍ୟାଳୟ ଏବଂ ଦୁଇ ପଟେ ଧାଡ଼ି ଧାଡ଼ି ଘର ଓ ନଡ଼ିଆ ଗଛ ଗ୍ରାମର ଶୋଭା ବର୍ଦ୍ଧନ କରେ। ସୂର୍ଯ୍ୟ ବଂଶର ରାଜା ପ୍ରତାପରୁଦ୍ର ଦେବଙ୍କ ମନ୍ତ୍ରୀ ଗୋବିନ୍ଦ ବିଦ୍ୟାଧର ରାଜାଙ୍କ ମୃତ୍ୟୁ ପରେ ତାଙ୍କର ପୁଅ ଓ ନାତିଙ୍କୁ ଷଡ଼ଯନ୍ତ୍ର କରି ମାରି ୧୫୩୪ ଖ୍ରୀଷ୍ଟାବ୍ଦରେ ରାଜା ହୋଇଥିଲେ। ସେ ଏହି ବୀର ଗୋବିନ୍ଦପୁର ବ୍ରାହ୍ମଣ ଶାସନ ବସାଇଥିଲେ। ଦାନାଧକ୍ଷ ବ୍ରାହ୍ମଣ ତ୍ରିଲୋଚନ ବଡ଼ପଣ୍ଡାଙ୍କୁ ଏହି ଗ୍ରାମ ଦେଇଥିଲେ।

ଏହି ଗାଁ ରେ ଋଗ, ସାମ, ଯଜୁ ବେଦୀୟ ବ୍ରାହ୍ମଣ ବସବାସ କରନ୍ତି ଓ ସେମାନେ ଭରଦ୍ୱାଜ, କାଶ୍ୟପ ଓ ବତ୍ସସ୍ୟ ଗୋତ୍ରିୟ । ଏମାନେ ମୁକ୍ତି ମଣ୍ଡପର ଅଧିକାରୀ ଅଟନ୍ତି । ନବକଳେବର ଓ ଶାରଦୀୟ ଦୁର୍ଗାପୂଜା ସମୟରେ ଗଜପତି ମହାରାଜାଙ୍କ ଦ୍ଵାରା ବରଣ ହୋଇଥାନ୍ତି । ଗାଁ ଟି ତିନି ପ୍ରସିଦ୍ଧ କାଳିକା ଭଉଣୀଙ୍କ ଭିତରୁ କନିଷ୍ଠା ମା’ ଦକ୍ଷିଣକାଳୀଙ୍କ ପାଇଁ ପ୍ରସିଦ୍ଧି ଲାଭ କରିଛି । କାଳୀ ପୂଜା ଏହି ଗ୍ରାମର ପ୍ରସିଦ୍ଧ ଏବଂ ବଡ଼ ପର୍ବ ଅଟେ । ରାଜ୍ୟର କୋଣ ଅନୁକୋଣରୁ ଭକ୍ତ ମାନେ ଛୁଟିଆସନ୍ତି କାଳୀ ପୂଜା ଦିନ ମା’ଙ୍କର ମୃଣ୍ମୟୀ ମୂର୍ତ୍ତି ଦର୍ଶନ ପାଇଁ ।

ସୂଚନା ଅଛି ଯେ, ୧୯୬୦ ମସିହାର ଏହି ପୀଠ ବଙ୍ଗାଳୀ ସେବକଙ୍କ ଦ୍ୱରା ପ୍ରତିଷ୍ଠିତ। ବୀର ପ୍ରତାପ ଗ୍ରାମରେ ବଡ଼ ଭଉଣୀ ମା ଉଗ୍ରତାରା, ସମ୍ ଯାଜ୍ ପୁରରେ ମଝିଆଁ ଭଉଣୀ ମା କମାରୁପା ଏବଂ ବୀରଗୋବିନ୍ଦ ପୁରରେ ସାନ ଭଉଣୀ ମା’ ଦକ୍ଷିଣ କାଳୀ ବିରାଜମାନ ହୋଇଛନ୍ତି । ସୂଚନା ମୁତାବକ, ଆଜି କାଳୀ ପୂଜା ଅବସରରେ ରାତ୍ର ୧୦ ଘଣ୍ଟାରେ ମା’ ଦକ୍ଷିଣ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ପୀଠରେ ବିରାଜମାନ ହୁଅନ୍ତି । ରାତ୍ର ୧୧ ଟା ସମୟରେ ଘଟ ପ୍ରତିଷ୍ଠା ପରେ ରାତ୍ର ୧୨ ଟା ସମୟରେ ପୂଜା ଆରମ୍ଭ ହୋଇଥାଏ, ପୂଜା ସମୟରେ ବିଧି ଅନୁସାରେ ପ୍ରଥମେ ଆଖୁ ବଳୀ ତାପରେ ପାଣିକଖାରୁ ବଳୀ ଏବଂ ଶେଷରେ ଛାଗ ବଳୀ ଦିଆଯାଇଥାଏ। ବଡ଼ସିଂହାର ଧୂପରେ ମାଟି ହାଣ୍ଡିରେ ପ୍ରସ୍ତୁତ କୋଠ ଭୋଗ ଖେଚୁଡ଼ି, ଡାଲି, ମାଛ ବେସର, ଖଟା, ଖିରି, ବିରି ପିଠା ମା’ ଙ୍କୁ ଭୋଗ ପରେ ପହଡ଼ ପଡ଼ିଥାଏ ।

ସ୍ଵଳ୍ପ ସମୟ ପରେ ପହଡ଼ ଫିଟାଯାଇ ମୂର୍ତ୍ତିଙ୍କୁ ପଣା ଭୋଗ ପରେ ଘଟ ବିସର୍ଜନ କରାଯାଏ। କିନ୍ତୁ ଭକ୍ତ ମାନଙ୍କ ଦର୍ଶନ ନିମନ୍ତେ ମୃଣ୍ମୟୀ ମୂର୍ତ୍ତି କାଳୀ ପୂଜାର ପର ଦିନ ରାତ୍ରୀ ଯାଏ ରହି ରାତ୍ରରେ ତିନି ଭଉଣୀଙ୍କୁ ଏକାଠି କରାଯାଇ ଭାର୍ଗବୀ ନଦୀରେ ବିସର୍ଜନ କରାଯାଏ । ପ୍ରତିବର୍ଷ ରାଜ୍ୟର କୋଣ ଅନୁକୋଣରୁ ଭକ୍ତମାନେ ଆସନ୍ତି କାଳୀ ମନ୍ଦିର ଦର୍ଶନ ପାଇଁ କିନ୍ତୁ କରୋନା କଟକଣା କୁ ନଜରରେ ରଖି ପୂର୍ବ ବର୍ଷ ପରି ଚଳିତ ବର୍ଷ ୧୪୪ ଧାରା ଜାରି କରାଯାଇଥିବାରୁ ଦର୍ଶନ ବିନା ଭକ୍ତ ଏବଂ ସେବାୟତ ମାନଙ୍କ ମହଲରେ ନୈରାଶ୍ୟ ଭାବ ଦେଖା ଦେଇଛି । ମାର୍କଣ୍ଡେୟ ପୁରାଣ ଦୁର୍ଗା ସପ୍ତଶତୀ ଖଣ୍ଡ ରେ ଭଗବତୀ ଅମ୍ବିକାଙ୍କ ଲଲାଟରୁ ଯେଉଁ କାଳୀଙ୍କ ଉତ୍ପତ୍ତି ହୋଇଥିଲା, ସେ ଆଦ୍ୟାକାଳୀଙ୍କଠୁ ଭିନ୍ନ । ଯିଏକି ଦୁର୍ଗାଙ୍କ ତ୍ରୀମୂର୍ତ୍ତୀ (ମହାଲକ୍ଷ୍ମୀ,ମହା ସରସ୍ୱତୀ,ମହାକାଳୀ)ରୁ ଏକ ଅଂଶ ବିଶେଷ।

ଭଗବତୀ କାଳୀ ଙ୍କ ରୂପ ଭେଦ ଅସଂଖ୍ୟ।ସବୁ ଦେବୀ, ଯୋଗିନୀ ଆଦି ଭଗବତୀ ଙ୍କ ପ୍ରତି ରୂପ ମନାଯାଏ। ତଥାପି। ୮ଭେଦ ମୂଖ୍ୟ-୧ ଚିନ୍ତାମଣି କାଳୀ ,୨ସ୍ପର୍ଶମଣୀ କାଳୀ, ୩ ସନ୍ତତିପ୍ରଦା କାଳୀ, ୪ସିଦ୍ଧିକାଳୀ, ୫ଦକ୍ଷିଣା କାଳୀ ,୬କାମକଳା କାଳୀ ,୭ହଂସ କାଳୀ ,୮ଗୂହ୍ୟ କାଳୀ। କାଳୀ କ୍ରମ ଦୀକ୍ଷା ରେ କାଳୀ ଙ୍କ ଏହି ୮ରୂପ ଦିଆଯାଇଛି। ଏହା ଙ୍କ ମଧ୍ୟରୁ ଭଦ୍ରକାଳୀ, ଶ୍ମଶାନ କାଳୀ, ମହାକାଳୀ ୩ଭେଦ ପ୍ରସିଦ୍ଧ।

Get real time updates directly on you device, subscribe now.