ନୂଆଦିଲ୍ଲୀ: ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ତା’ର ୪୮ କୋଟିରୁ ଅଧିକ ଗ୍ରାହକଙ୍କ ପାଇଁ ଆଣିଛି ଏକ ଖୁସି ଖବର । ୨୦୨୪ ନୂଆ ବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର ୪ ଦିନ ବାକିଥିବା ବେଳେ ତା’ ପୂର୍ବରୁ ଏସବିଆଇ ଗ୍ରାହକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି । ଏହି ଖବର ଶୁଣିବା ପରେ ସମସ୍ତ ଗ୍ରାହକ ନିଶ୍ଚିତ ଭାବେ ଖୁସିରେ ଝୁମି ଉଠିବେ ।
ସୂଚନା ମୁତାବକ, ନୂଆ ବର୍ଷ ପୂର୍ବରୁ ଏସବିଆଇ ସ୍ଥାୟୀ ଜମା (ଏଫଡି) ରେଟରେ ବୃଦ୍ଧି ଘୋଷଣା କରିଛି । ଏହି ନୂଆ ଦର ବୃଦ୍ଧି ତ୍ୱରିତ ଭାବେ ଲାଗୁ ହେବ ବୋଲି କୁହାଯାଇଛି । ୨ କୋଟିରୁ କମ୍ ଏଫଡି ଉପରେ ଏହି ଦର ବୃଦ୍ଧି ଲାଗୁ ହେବ । ୧ ବର୍ଷରୁ ୨ ବର୍ଷ ପର୍ଯ୍ୟନ୍ତ, ୨ ବର୍ଷରୁ ୩ ବର୍ଷ ପର୍ଯ୍ୟନ୍ତ, ୫ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଅବଧି ଛାଡ଼ି ଅନ୍ୟ ସମସ୍ତ ଅବଧି ପାଇଁ ଏଫଡି ରେଟ୍ ବୃଦ୍ଧି କରାଯାଇଛି ।
୭ ଦିନରୁ ୪୫ ଦିନିଆ ଏଫଡି ଉପରେ ବ୍ୟାଙ୍କ ୫୦ ବେସିସ ପଏଣ୍ଟସ ରେଟ୍ ବୃଦ୍ଧି କରିଛି । ସେହିପରି ୪୬ ଦିନରୁ ୧୭୯ ଦିନିଆ ଏଫଡି ଉପରେ ୨୫ ବେସିସ ପଏଣ୍ଟସ, ୧୮୦ରୁ ୨୧୦ ଦିନିଆ ଏଫଡି ଉପରେ ୫୦ ବେସିସ ପଏଣ୍ଟସ ବୃଦ୍ଧି କରାଯାଇଛି । ୨୧୧ ଦିନରୁ ୧ ବର୍ଷିଆ ଏଫଡି ଉପରେ ଗ୍ରାହକଙ୍କୁ ୬ ପ୍ରତିଶତ ଓ ୩ ବର୍ଷରୁ ୫ ବର୍ଷିଆ ଏଫଡି ଉପରେ ୬.୭୫ ପ୍ରତିଶତ ସୁଧ ମିଳିବ । ସେହିପରି ୫ ବର୍ଷରୁ ୧୦ ବର୍ଷିଆ ଏଫଡି ଉପରେ ୬.୫୦ ପ୍ରତିଶତ ସୁଧ ମିଳିବ । ଶେଷଥର ପାଇଁ ଗତ ଫେବୃଆରୀ ମାସରେ ବ୍ୟାଙ୍କ ପକ୍ଷରୁ ଏଫଡି ରେଟରେ ପରବର୍ତ୍ତନ କରାଯାଇଥିଲା ।