ନୂଆଦିଲ୍ଲୀ: ବିଲକିସ୍ ବାନୋ ମାମଲାରେ ୧୧ ଦୋଷୀଙ୍କ ଜେଲରୁ ମୁକ୍ତ କରାଯିବା ବିରୋଧରେ ଦାଖଲ ଯାଚିକା ଉପରେ ସୁପ୍ରିମକୋର୍ଟ କଡା ଟିପ୍ପଣୀ କରିଛନ୍ତି। ସୁପ୍ରିମକୋର୍ଟ ମାମଲାରେ କେନ୍ଦ୍ର ଏବଂ ଗୁଜରାଟ ସରକାରଙ୍କୁ ନୋଟିସ୍ ଜାରି କରି ଜବାବ ଲୋଡିଛନ୍ତି। ଅଦାଲତ କହିଛନ୍ତି, ଆମକୁ ଏହା ଦେଖିବାକୁ ପଡିବ ଯେ, ଦୋଷୀଙ୍କୁ ମୁକ୍ତ କରାଯିବା ନିଷ୍ପତ୍ତି ସମୟରେ ମସ୍ତିଷ୍କର ବ୍ୟବହାର କରାଯାଇଥିଲା କି ନାହିଁ। ସୁପ୍ରିମକୋର୍ଟ ଦୋଷୀଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇନଥିଲେ। କେବଳ ମୁକ୍ତ କରାଯିବା ନୀତି ଆଧାରରେ ବିଚାର କରିବାକୁ ଗୁଜରାଟ ସରକାରଙ୍କୁ କୁହାଯାଇଥିଲା।
ସୁପ୍ରିମକୋର୍ଟ ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନ ବିଚାରପତି ଏନଭି ରମଣା, ବିଚାରପତି ଅଜୟ ରୋସ୍ତଗି ଏବଂ ବିଚାରପତି ବିକ୍ରମ ନାଥଙ୍କ ପୀଠ ମାମଲାର ଶୁଣାଣି କରୁଛନ୍ତି। ସାମାଜିକ କର୍ମୀ ସୁଭାସିନି ଅଲୀ, ରୂପରେଖା ବର୍ମା ଏବଂ ସାମ୍ବାଦିକ ରେବତୀ ଲାଲ ଏହି ମାମଲାର ୧୧ ଦୋଷୀଙ୍କୁ ମୁକ୍ତ କରାଯିବା ଗୁଜରାଟ ସରକାରଙ୍କ ଆଦେଶକୁ ରଦ୍ଦ କରିବାକୁ ଦାବି କରିଛନ୍ତି। ବିଲକିସ୍ ବାନୋଙ୍କ ତରଫରୁ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ କପିଲ୍ ସିବଲ କେସ୍ ଲଢୁଛନ୍ତି।
ସୂଚନାଯୋଗ୍ୟ, ମୁକ୍ତ ହୋଇଥିବା ୧୧ ଦୋଷୀ ବିଲକିସ୍ ବାନୋଙ୍କ ସହ ଗଣଦୁଷ୍କର୍ମ ଏବଂ ତାଙ୍କ ପରିବାରର ସାତ ସଦସ୍ୟଙ୍କ ହତ୍ୟା ମାମଲାରେ ୧୫ ବର୍ଷ ହେବ ଜେଲରେ ଥିଲେ। ମାତ୍ର ଗୁଜରାଟ ସରକାର ଦୋଷୀଙ୍କୁ ରାଜ୍ୟରେ ଲାଗୁ ମୁକ୍ତ କରାଯିବା ନୀତି ଆଧାରରେ ଅଗଷ୍ଟ ୧୫ରେ ଜେଲରୁ ମୁକ୍ତ କରିଥିଲେ। ଗୁଜରାଟ ସରକାରଙ୍କ ଏହି ନିଷ୍ପତ୍ତିକୁ ସମଗ୍ର ଦେଶରେ ବିରୋଧ କରାଯାଇଛି।
ଏହି ମାମଲାରେ କେନ୍ଦ୍ର ଏବଂ ଗୁଜରାଟ ସରକାରଙ୍କ ରାୟ ମଧ୍ୟ ପାର୍ଥକ୍ୟ ନଜର ଆସିଛି। ଦୋଷୀଙ୍କୁ ମୁକ୍ତ କରିବାକୁ ଆମେ କହିନଥିଲୁ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ, ଗୁଜରାଟ ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ କଣ ଜବାବ ରଖାଯାଉଛି। ଦୁଇ ସରକାରଙ୍କୁ ଏହା ଜଣାଇବାକୁ ପଡିବ ଯେ, ବିଲକିସ୍ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ ମୁକ୍ତ କରାଯିବା ପଛରେ କାରଣ କଣ ଥିଲା। ଉଲ୍ଲେଖନୀୟ ୨୦୦୨ ଗୁଜରାଟ ଦଙ୍ଗା ସମୟମରେ ବିଲକିସ୍ ବାନୋଙ୍କ ପରିବାରର ସାତ ସଦସ୍ୟଙ୍କକୁ ହତ୍ୟା କରାଯାଇଥିଲା। ଏଥିରେ ବାନୋଙ୍କ ତିନି ବର୍ଷର ଝିଅ ମଧ୍ୟ ସାମିଲ୍ ଥିଲା। ଏପରିକି ହତ୍ୟାକାରୀମାନେ ବାନୋଙ୍କ ସହ ସାମୂହିକ ଦୁଷ୍କର୍ମ କରିଥିଲେ।