Boyfriend ପାଇଁ ମା’କୁ ହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ରୀ, ବେହୋସ କରି ପ୍ରେମିକ ସହ ମିଶି ଚିପିଦେଲେ ମା’ର ତଣ୍ଟି
ଗଜପତିରେ ଚାଞ୍ଚଲ୍ୟ । ହତ୍ୟାକାରୀ ସ୍କୁଲ ଛାତ୍ରୀ ।
ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଘଟିଯାଇଛି ଏକ ଚାଞ୍ଚଲ୍ୟକର ଘଟଣା, ଯାହା ସ୍ଥାନୀୟ ଅଂଚଳରେ ଭୟର ବାତାବରଣ।
ପ୍ରେମିକ ପାଇଁ ମା’ କୁ ବଳି ଦେଲା ଝିଅ । ପ୍ରେମିକର ପ୍ରେମ ଆଗରେ ଫିକା ପଡ଼ିଗଲା ମା’ର ମମତା । ରାସ୍ତାକଡ଼ରେ କାନ୍ଦୁଥିବା କୁନି ଝିଅକୁ ଉଠାଇ ଆଣି ପାଳିପୋଷି ବଡ଼ କରିଥିଲେ ରାଜଲକ୍ଷ୍ମୀ କର । କିନ୍ତୁ ସେହି ଅଷ୍ଟମ ଶ୍ରେଣୀରେ ପଢୁଥିବା ପାଳିତ ଝିଅ ଆଜି ମା’ର ନେଇଛି ଜୀବନ। ଘଟିଥିବା ଏହି ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ସୂଚନା ମୁତାବକ, ପୋଷ୍ୟ ଝିଅକୁ ପାଠ ପଢ଼େଇ ବଡ଼ ମଣିଷ କରିବା ପାଇଁ ଚାହିଥିଲେ ରାଜଲକ୍ଷ୍ମୀ । କିନ୍ତୁ ଝିଅର ଅନୈତିକ କାର୍ଯ୍ୟକଳାପ ସମ୍ପର୍କରେ ଜାଣିବା ପରେ ଏହାକୁ ବିରୋଧ କରିବାରୁ ପ୍ରେମିକ ସହ ମିଶି ମା’କୁ ହତ୍ୟା କରିଛି ଝିଅ ।
ଏପ୍ରିଲ ୨୯ ତାରିଖରେ ମାଆର ଖାଦ୍ୟରେ ନିଶା ବଟିକା ଦେଇଥିଲା ନାବାଳିକା ଝିଅ । ଆଉ ମାଆ ଜଣକ ଅଚେତ ହେବା ପରେ ପ୍ରେମିକ ଓ ତାର ସହଯୋଗୀ ସହ ମିଶି ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡ଼ିଛି । ହତ୍ୟାକାଣ୍ଡ ପରେ ଏହାକୁ ହୃଦଘାତ ବୋଲି କହିବା ସହ ଭୁବନେଶ୍ବର ନେଇ ଅନ୍ତିମ ସଂସ୍କାର ମଧ୍ୟ କରିଥିଲା ନାବାଳିକା ।
କିନ୍ତୁ ନାବାଳିକା ଓ ତାର ପ୍ରେମିକର କଥାବାର୍ତ୍ତାରୁ ପରିବାର ଲୋକଙ୍କ ସନ୍ଦେହ ହେବା ପରେ ତଦନ୍ତ ପାଇଁ ଥାନାର ଦ୍ବାରସ୍ଥ ହୋଇଥିଲେ ପରିବାର ଲୋକେ । ପରେ ନାବାଳିକାଙ୍କ ଇନଷ୍ଟାଗ୍ରାମ ଚାଟ୍ରୁ ସାମ୍ନାକୁ ଆସିଥିଲା ସତ । ପୁଲିସ ଅଭିଯୁକ୍ତ ନାବାଳିକା ଓ ତାର ପ୍ରେମିକକୁ ଗିରଫ କରିବା ସହ ହତ୍ୟାକାଣ୍ଡ ଘଟାଇଥିବା ଘରକୁ ନେଇ ସିନ୍ ରିକ୍ରିଏସନ୍ କରିଛି ।