ଗଞ୍ଜେଇ ଟାଣିବା ପାଇଁ ଦରକାର ଥିଲା ମାଚିସ୍; ମାଗି ମାଗି ଅବକାରୀ କାର୍ଯ୍ୟାଳୟରେ ପହଞ୍ଚିଗଲେ ସ୍କୁଲ ଛାତ୍ର

ନୂଆଦିଲ୍ଲୀ: କେରଳର ଇଡୁକ୍କି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହାଜାଣିଲେ ଆପଣ ବି ନହସି ରହି ପାରିବେ ନାହିଁ। ଏଠାରେ କିଛି ସ୍କୁଲ ଛାତ୍ର ଗଞ୍ଜେଇ ବିଡି ଟାଣିବା ପାଇଁ ମାଚିସ୍ ଖୋଜିବାକୁ ବାହାରିଥିଲେ। ମାଚିସ୍ ନ ମିଳିବାରୁ ଖୋଜି ଖୋଜି ସେମାନେ ଅବକାରୀ ବିଭାଗ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏଠାକୁ ଯିବା ପରେ ଛାତ୍ରମାନେ ଗଞ୍ଜେଇ ଟାଣିବା ପାଇଁ ମାଚିସ୍ ମାଗିବାରୁ ଅବକାରୀ ବିଭାଗର ଅଧିକାରୀମାନେ ମଧ୍ୟ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଛାତ୍ରମାନେ ଏହା ବୁଝିବା ବେଳକୁ କର୍ତ୍ତୃପକ୍ଷ ସେମାନଙ୍କୁ ଧରିଥିଲେ। ବାସ୍ତବରେ ପୂରା ଘଟଣା ଇଡୁକ୍କି ଜିଲ୍ଲାର ଆଦିମାଲିର। ତ୍ରିଶୂରର କିଛି ସ୍କୁଲ ଛାତ୍ର କଲେଜ ଭ୍ରମଣରେ ଯାଇଥିଲେ। ଏହି ସମୟରେ ସ୍ଥାନୀୟ ଅବକାରୀ କାର୍ଯ୍ୟାଳୟରେ କିଛି ଛାତ୍ର ମାଚିସ୍ ବକ୍ସ ଆଣିବା ପାଇଁ ପଶିଥିଲେ। ଛାତ୍ରଛାତ୍ରୀମାନେ ଜାଣିନଥିଲେ ଏହା କାହାର କାର୍ଯ୍ୟାଳୟ, ସେମାନେ ଭାବିଲେ ଏଠାରେ ଏକ କର୍ମଶାଳା ଅଛି। ସେହିପରି ଛାତ୍ରମାନେ ମାଚିସ୍ ମାଗିବା ପରେ ଅବକାରୀ ବିଭାଗର ଅଧିକାରୀମାନେ ସେମାନଙ୍କୁ ସ୍ପଟ୍ ଉପରେ ଧରିଥିଲେ।

ଛାତ୍ରଙ୍କ ଠାରୁ ଗଞ୍ଜେଇ, ହସିଶ ତେଲ (ଗଞ୍ଜେଇ ଗଛରୁ ପ୍ରସ୍ତୁତ) ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ନିଷିଦ୍ଧ ଦ୍ରବ୍ୟ ରଖିବା ଅଭିଯୋଗରେ ଦୁଇ ଜଣ ନାବାଳକ ଛାତ୍ରଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ହୋଟେଲରେ ରାତ୍ରୀ ଭୋଜନ କରିବା ପରେ କିଛି ଛାତ୍ରଛାତ୍ରୀ ଗଞ୍ଜେଇ ମିଶା ବିଡି ଟାଣିବାକୁ ବାହାରକୁ ଆସିଥିଲେ। ବିଡ଼ି ଲଗାଇବା ପାଇଁ ମାଚିସ୍ ଖୋଜିବାକୁ ବାହାରକୁ ଯାଇ ଅବକାରୀ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଛାତ୍ରମାନେ ଅବକାରୀ କାର୍ଯ୍ୟାଳୟର ପଛ ପଟ ଦେଖି ଏହାକୁ ଏକ କର୍ମଶାଳା ବୋଲି ଭାବି ମାଚିସ୍ ମାଗିବା ଆରମ୍ଭ କରିଥିଲେ।

ହଠାତ୍ ଅଧିକାରୀମାନଙ୍କୁ ଦେଖି ସେମାନେ ବିପଦ ଅନୁଭବ କରି ଦୌଡ଼ିବା ଆରମ୍ଭ କରିଥିଲେ ମଧ୍ୟ ସମସ୍ତେ ଧରାପଡ଼ିଥିଲେ। ଯାଞ୍ଚ କରିବା ପରେ ନିଶା ଦ୍ରବ୍ୟ ଜବତ ହୋଇଥିଲା। ସେମାନଙ୍କ ନିକଟରୁ ଦୁଇ ଛାତ୍ରଙ୍କ ବିରୋଧରେ ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟେନ୍ସ (ଏନଡିପିଏସ୍) ଆଇନର ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହାବ୍ୟତୀତ ସମସ୍ତ ଛାତ୍ରଙ୍କୁ ପରାମର୍ଶ ଦିଆଯାଇଛି। ବାକି ଛାତ୍ରଙ୍କୁ ସେମାନଙ୍କ ଶିକ୍ଷକଙ୍କ ସହ ଫେରାଇ ଦିଆଯାଇଥିଲା, କିନ୍ତୁ ଯେଉଁ ଦୁଇ ଛାତ୍ରଙ୍କ ନିକଟରୁ ନିଷିଦ୍ଧ ସାମଗ୍ରୀ ମିଳିଥିଲା ସେମାନଙ୍କ ଅଭିଭାବକଙ୍କୁ ଡାକି ସେମାନଙ୍କ ସହ ପଠାଯାଇଥିଲା।