fbpx

ଭଗବତ ଗୀତାକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ ନେଇ ପ୍ରତ୍ୟେକ ରାଜ୍ୟ ସରକାର ବିଚାର କରିବେ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ସ୍କୁଲରେ ଭଗବତ ଗୀତା ପାଠ୍ୟକ୍ରମ ଲାଗୁ ହୋଇପାରେ । ଗୀତା ଆମର ନୈତିକ ଜ୍ଞାନ ବୃଦ୍ଧି କରିବା ସହ ସମାଜ ପ୍ରତି ଦାୟିତ୍ୱବୋଧ ବିଷୟରେ ସଚେତନ କରାଇଥାଏ । ଗୀତା ଜ୍ଞାନ ଦେଶର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇଥାଏ । ତେଣୁ ଏ ନେଇ ପ୍ରତ୍ୟେକ ରାଜ୍ୟ ସରକାର ବିଚାର କରିବା ଦରକାର ବୋଲି ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।

ଯୋଶୀ କହିଛନ୍ତି ଯେ, ଗୀତାରେ ନୈତିକତା ଉପରେ ଆଧାରିତ ଏପରି ଅନେକ କାହାଣୀ ରହିଛି । ଉକ୍ତ କାହାଣୀଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ଅନେକମାତ୍ରାରେ ପ୍ରେରଣା ଯୋଗାଇବ । ପିଲାମାନଙ୍କଠାରେ ଏହାର ସୁପ୍ରଭାବ ପଡ଼ିବା ସହ ସେମାନଙ୍କର ଆଚାର ବ୍ୟବହାରରେ ସୁଧାର ଆସିବ । ରାଜ୍ୟମାନେ ଏ ଦିଗରେ ବିଚାରବିମର୍ଷ କରିବା ସହ ଲାଗୁ କରିବା ଦରକାର ।

ସୂଚନାଯୋଗ୍ୟ ଯେ, ଗତ ୧୭ ତାରିଖରେ ଗୁଜୁରାଟ ସରକାର ଗୀତାକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବା ନେଇ ଘୋଷଣା କରିଥିଲେ । ଶିକ୍ଷାବର୍ଷ ୨୦୨୨-୨୩ରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ପିଲାମାନେ ସ୍କୁଲମାନଙ୍କରେ ଭଗବତ ଗୀତା ପଢ଼ିବେ ବୋଲି ରାଜ୍ୟ ଶିକ୍ଷାମନ୍ତ୍ରୀ କହିଥିଲେ । ଏଥିସହିତ ଗୀତା ଉପରେ ଆଧାରିତ ବିଭିନ୍ନ ପ୍ରତିଯୋଗିତା ଯେପରିକି ଶ୍ଲୋକ, ଡ୍ରଇଂ, ନିବନ୍ଧ, ପ୍ରଶ୍ନୋତ୍ତରୀ, ନାଟକ ଆଦିକୁ ସାମିଲ କରାଯିବ ବୋଲି କୁହାଯାଇଥିଲା ।

ଗୁଜୁରାଟ ପରେ କର୍ଣ୍ଣାଟକ ସରକାର ମଧ୍ୟ ଗୀତାକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବା ସପକ୍ଷରେ ରହିଛନ୍ତି । ନୈତିକ ମୂଲ୍ୟ ପ୍ରଦାନ କରୁଥିବା ଗୀତାକୁ ସ୍କୁଲ ଶିକ୍ଷାରେ ସାମିଲ କରାଯିବା ନେଇ ଆଲୋଚନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ କହିଥିଲେ । ସେହିପରି କିଛିଦିନ ପୂର୍ବରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗୀତାର ସକାରାତ୍ମକ ଦିଗ ଉପରେ ମନ୍ତବ୍ୟ ଦେଇଥିଲେ ।

Get real time updates directly on you device, subscribe now.