fbpx

ଅକ୍ଟୋବର ୧୬ ତାରିଖରୁ ସ୍କୁଲ ସମୟରେ ହେବ ପରିବର୍ତ୍ତନ: ଆଜିଠୁ ମେଡିକାଲ ଟାଇମ ବଦଳିଲା

ନୂଆଦିଲ୍ଲୀ: ଆଜି ଅକ୍ଟୋବର ପହିଲାରୁ ଦେଶରେ ଅନେକ କିଛି ପରିବର୍ତ୍ତନ କରାଯାଇଛି । ଏଥିସହିତ ବଦଳିଯାଇଛି ମେଡିକାଲ ବ୍ୟବସ୍ଥାର ସମୟ । ତେବେ ଆସନ୍ତା ୧୬ ତାରିଖରୁ ସ୍କୁଲଗୁଡ଼ିକରେ ମଧ୍ୟ ଟାଇମିଙ୍ଗ ପରିବର୍ତ୍ତନ ହେବାକୁ ଯାଉଛି । ନୂଆ ନିୟମ ଅନୁସାରେ, ଆଜିଠାରୁ ହସ୍ପିଟାଲରେ ଓପିଡି ଖୋଲିବାର ସମୟରେ ପରିବର୍ତ୍ତନ କରାଯାଇଛି । ଏହି ଦୁଇଟି ମୁଖ୍ୟ ବିଭାଗରେ ପରିବର୍ତ୍ତନ କରିବା ସହିତ ଆହୁରି ଅନେକ ବିଭାଗରେ ମଧ୍ୟ ସମୟ ପରିବର୍ତ୍ତନ ହୋଇଛି । ତେବେ ଆସନ୍ତୁ ଜାଣିବା କେଉଁସବୁ ବିଭାଗରେ ପରିବର୍ତ୍ତନ କରିଛନ୍ତି ସରକାର ।

ଆସନ୍ତା ୧୬ ତାରିଖରୁ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ହେବ । ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ ଶ୍ରେଣୀର ସମୟ ପରିବର୍ତ୍ତନ କରିବା ପାଇଁ ରାଜସ୍ଥାନ ସରକାରଙ୍କ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି । ମୌସୂମୀରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସ୍କୁଲ ସମୟ ପରିବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହା ଆଜି(ଅକ୍ଟୋବର ୧)ରୁ ଲାଗୁ ହେବା ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ପାଣିପାଗ ଯୋଗୁଁ ଏହାକୁ ଅକ୍ଟୋବର ୧୬ ତାରିଖରୁ ଲାଗୁ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ କାନା ରାମଙ୍କ ତରପରୁ ଜାରି ହୋଇଥିବା ସଂଶୋଧିତ ଆଦେଶ ଅନୁସାରେ, ବର୍ତ୍ତମାନ ଏପ୍ରିଲ ୧ ତାରିଖରୁ ଜାରି ରହିଥିବା ଗ୍ରୀଷ୍ମକାଳୀନ ସ୍କୁଲ ସମୟ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହାପରେ ୧୬ ତାରିଖରୁ ନୂଆ ନିୟମରେ ଏବଂ ନୂଆ ସମୟରେ ସ୍କୁଲକୁ ଆସିବେ ଛାତ୍ରଛାତ୍ରୀ ।

ସେପଟେ ଆଜିଠାରୁ ସ୍ୱାସ୍ଥ୍ୟକ୍ଷେତ୍ରରେ ସମୟ ପରିବର୍ତ୍ତନ କରି ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି । ଆଜିଠାରୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ହସ୍ପିଟାଲରେ ଓପିଡି ସକାଳ ୯ଟାରେ ଖୋଲାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଥାନ ସରକାର । ତେବେ ଏଥିପାଇଁ ସକାଳ ୮.୩୦ରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଚାଲୁ ରହିବ । ଏହାସହିତ ରବିବାର ଏବଂ ଅନ୍ୟାନ୍ୟ ଛୁଟିଦିନରେ ସକାଳ ୯ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ(ମାତ୍ର ୨ ଘଣ୍ଟା ପାଇଁ) ଓପିଡି ଖୋଲା ରହିବ । ସେହିପରି ଡାକ୍ତର ମଧ୍ୟ ନୂଆ ନିୟମ ଅନୁସାରେ ସକାଳ ୯ଟାରୁ ରୋଗୀମାନଙ୍କ ଯାଞ୍ଚ ଆରମ୍ଭ କରିବେ । ତେବେ ବର୍ତ୍ତମାନ ସକାଳ ୯ଟା ରୁ ଖୋଲାଯାଉଛି ହସ୍ପିଟାଲର ଓପିଡି । ଅକ୍ଟୋବର ୧ ତାରିଖରୁ ଲାଗୁ ହୋଇଥିବା ଏହି ନିୟମ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି କହିଛନ୍ତି ସରକାର ।

Get real time updates directly on you device, subscribe now.