ଚାଲାଖ ଚୋର, ଦିନରେ ସ୍କୁଲ ବସ୍ ଡ୍ରାଇଭର ସାଜି ତଥ୍ୟ ନେଉଥିଲା, ରାତିରେ ଘରେ ପଶି କଳାକନା ବୁଲାଉଥିଲା

ଚାଲାଖ ଚୋରକୁ ବାନ୍ଧିଲା ପୋଲିସ।

ଢ଼େଙ୍କାନାଳ:  ଚୋରର ନୂଆ ଫଣ୍ଡା। ଦିନରେ ସ୍କୁଲ ବସ୍ ଡ୍ରାଇଭର ଆଉ ରାତିରେ ସେହି ସ୍କୁଲ ପିଲାଙ୍କ ଘରୁ ଚୋରି। ପ୍ରକୃତରେ ପ୍ରଫେସନ ଚୋରି ହେଲେ ଡାଟା ସଂଗ୍ରହ ପାଇଁ ସାଜିଥିଲା ସ୍କୁଲ ବସ୍ ଡ୍ରାଇଭର।

ଏପରି ଏକ ଚତୁର ଚୋରର ଏବେ ପର୍ଦ୍ଦାଫାସ ହୋଇଛି। ଘଟଣାଟି ହେଉଛି ଓଡ଼ିଶାର ଢେଙ୍କାନାଳର। ସ୍କୁଲ ଭ୍ୟାନ୍ ଡ୍ରାଇଭର କହ୍ନେଇ ବାରିକଙ୍କୁ ଏକ ସିରିଜ୍ ଚୋରି ଅଭିଯୋଗରେ ପୋଲିସ ଗିରଫ କରିଛି।

ଆଉ ଗିରଫ ହେବା ପରେ ଚୋରର ପ୍ରକୃତ ପରିଚୟ ମିଳିଛି। ଯାହାକୁ ଶୁଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି। କାରଣ ପ୍ରଫେସନରେ କହ୍ନେଇ ଥିଲା ଚୋରି। ସବୁଦିନ ରାତିରେ ଚୋରି କରିବା ତାର ଧନ୍ଦା।

ହେଲେ ଦିନରେ ସେ ସାଧୁଙ୍କ ପରି ଛୋଟ ପିଲାଙ୍କ ସ୍କୁଲ ବସ୍ ଚଲାଉଥିଲା। ଆଉ ଏହା ପଛରେ ଥିଲା ତାର ବଡ଼ ଚାଲ୍।  କାରଣ ଦିନରେ ଯେଉଁ ପିଲାମାନଙ୍କୁ ଗାଡ଼ିରେ ନେଇ ସ୍କୁଲ ଯାଏ। ସେମାନଙ୍କ ଠାରୁ ତାଙ୍କ ଘରର ଡିଟେଲ୍ସ ବୁଝେ।

ଆଉ ଯେଉଁ ପିଲାଙ୍କ ଘରେ ଅଭିଭାବକମାନେ କେବେ ବାହାରକୁ ଯାଆନ୍ତି ସେହି ଦିନର ସୁଯୋଗ ନେଇ ସେମାନଙ୍କ ଘରେ ପଶି କଳାକନା ବୁଲାଇଦିଏ। ହେଲେ ସବୁଦିନ ପରା ଚୋର ଘର ଅନ୍ଧାର ନଥାଏ।

ଠିକ୍ ସେହିପରି ଏବେ ଚୋରକୁ ମଧ୍ୟ ଧରିଛି ପୋଲିସ। ଆଉ ଢେଙ୍କାନାଳ ସହରର ଗାୟତ୍ରୀ ନଗର, ଅମଲା ପଡ଼ା, କାରିଗର ସାହି ଏବଂ ଟାଉନ୍ ପ୍ଲାନିଂ ଅଞ୍ଚଳରେ ଚୋରି ଘଟଣାରେ ସେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।

ଗିରଫ ହେବା ପରେ, ପୋଲିସ ଲାପଟପ୍, ସ୍ମାର୍ଟୱାଚ୍, ସୁନା ଏବଂ ରୂପା ଅଳଙ୍କାର ଏବଂ ବିପୁଳ ପରିମାଣର ନଗଦ ସମେତ ପ୍ରାୟ ୧୦ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଜବତ କରିଛି।

ବାରିକର ସହଯୋଗୀ ଥିଲେ କି ସେ ଏକା ଅପରାଧ ଘଟାଇଥିଲେ ତାହା ଜାଣିବା ପାଇଁ ପୋଲିସ କାର୍ଯ୍ୟ କରୁଥିବାରୁ ଆଗକୁ ଆହୁରି ଘଟଣାର ପର୍ଦ୍ଦାଫାସ ହେବ ବୋଲି କୁହାଯାଉଛି।