ଜାନୁଆରୀ ୨୭ରେ ସ୍କୁଲ ଓ କଲେଜ ଛୁଟି: ସମଲେଇ ପ୍ରକଳ୍ପ ଲୋକାର୍ପଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଇ ପ୍ରକଳ୍ପର ଲୋକର୍ପଣ କରିବେ । ସେଥିପାଇଁ ୨୭ ତାରିଖକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ସେହିଦିନ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ । ଏହା ପୂର୍ବରୁ ଗତ ୧୭ ତାରିଖରେ ଲୋକାର୍ପିତ ହୋଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମଧ୍ୟ ରାଜ୍ୟ ସରକାର ଛୁଟି ଘୋଷଣା କରିଥିଲେ । ସେହିଦିନ ସମସ୍ତ ସରକାରୀ ଅଫିସ, ସ୍କୁଲ ଓ କଲେଜ ବନ୍ଦ ରହିଥିଲା ।

ସମ୍ବଲପୁରର ସମଲେଇ ପ୍ରକଳ୍ପ ଲୋକର୍ପଣ ଉତ୍ସବ ପାଇଁ ଜୋରସୋରରେ କାର୍ଯ୍ୟ ଜାରି ରହିଛି । ୪୦ ଏକର ପରିମିତ ଅଞ୍ଚଳରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ ହୋଇଛି । ଏହି କାର୍ଯ୍ୟ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କରାଯାଉଛି । ସେଥିପଇଁ ୩ ହଜାରରୁ ଅଧିକ ଶ୍ରମିକ ଓ କର୍ମଚାରୀ ଦିନରାତି ପରିଶ୍ରମ କରୁଛନ୍ତି ।

ମା’ ସମଲେଇ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ଏହି ପ୍ରକଳ୍ପ ଓ ମନ୍ଦିରର ବିକାଶ କାର୍ଯ୍ୟ ଦେଖି ଖୁସି ଜାହିର କରିଛନ୍ତି । ଏହି ପ୍ରକଳ୍ପରେ ୪ଟି ଦ୍ୱାର, ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟ, ୱାଚ ଟାୱର, ଭୋଗ ମଣ୍ଡପ, ଦୀପ ଗୃହ, ଫାଉଣ୍ଟେନ, ଯାତ୍ରୀଙ୍କ ବିଶ୍ରାମ ଗୃହ ସହିତ ମିଶନ ଶକ୍ତି କାଫେ ରହିଛି । ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାରେ ସମଲେଇ ପ୍ରକଳ୍ପରେ ବିଦ୍ୟୁତ ବିଭାଗ ଭୂତଳ ବିଦ୍ୟୁତ ବ୍ୟବସ୍ଥା କରିଛନ୍ତି । ମୁଖ୍ୟ ଯଜ୍ଞସ୍ଥଳୀକୁ ଛାଡ଼ିଦେଲେ ୪ଟି ମୁଖ୍ୟ ଦ୍ୱାରରେ ୪ଟି ଯଜ୍ଞସ୍ଥଳୀ କରାଯାଇଛି ।