fbpx

ସାହାରା ଜମାକାରୀଙ୍କୁ କେବେ ମିଳିବ ନିବେଶ ଅର୍ଥ: ସୁବ୍ରତ ରୟଙ୍କ ବିୟୋଗ ପରେ ଆସିଲା SEBI ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଗତ ୧୪ ତାରିଖ ଦିନ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୭୫ ବର୍ଷ ବୟସରେ ସାହାରା ଗ୍ରୁପର ମୁଖ୍ୟ ସୁବ୍ରତ ରୟ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସୁବ୍ରତଙ୍କ ପରି ଜଣେ ବିଶିଷ୍ଟ ଶିଳ୍ପପତିଙ୍କ ବିୟୋଗରେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଥିଲେ । ତେବେ ସାହାରା ମୁଖ୍ୟଙ୍କ ବିୟୋଗ ପରେ ସାହାରାରେ ନିବେଶ କରିଥିବା କୋଟି କୋଟି ନିବେଶକଙ୍କ ଚିନ୍ତାରେ ପଡ଼ିଯାଇଥିଲେ । ନିବେଶକଙ୍କୁ ସେମାନଙ୍କର ଅର୍ଥ ମିଳିବ କି ନାହିଁ ସେନେଇ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହୋଇଥିଲା ।

ତେବେ ସାହାରା ମୁଖ୍ୟଙ୍କ ମୁତ୍ୟୁର ଦୁଇଦିନ ପରେ ଭାରତୀୟ ସୁରକ୍ଷା ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ଆସିଛି ବଡ଼ ଅପଡେଟ୍ । ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ସେବି ଅଧ୍ୟକ୍ଷ ମାଧବୀ ପୁରୀ ବୁଚ । ସାହାରା ସଂସ୍ଥାପକଙ୍କ ମୃତ୍ୟୁ ପରେ ସାହାରା ମାମଲା ପୁଞ୍ଜି ବଜାର ନିୟାମକ ପାଇଁ ଜାରି ରହିବ । ସୁବ୍ରତଙ୍କ ପରଲୋକ ପରେ ବି ସାହାରାକୁ ନେଇ ରହିଥିବା ମାମଲା ଜାରି ରହିବ ବୋଲି ଫେଡେରେସନ ଅଫ୍ ଇଣ୍ଡିଆନ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଏଫଆଇସିସିଆଇ)ର ଏକ କାର୍ଯ୍ୟକ୍ରମ ଅବସରରେ ଶ୍ରୀମତୀ ବୁଚ୍ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ନିବେଶକଙ୍କୁ ସେମାନଙ୍କର ଅର୍ଥ ଫେରସ୍ତ ନେଇ ଗତ ଜୁଲାଇ ମାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାହାରା ରିଫଣ୍ଡ ପୋର୍ଟାଲ ଲଞ୍ଚ କରିଥିଲେ । ଏହାପରେ ଅଗଷ୍ଟ ମାସ ୪ ତାରିଖରେ ଜମାକାରୀଙ୍କ ଖଳତାକୁ କ୍ଲେମ ଅର୍ଥ ଟ୍ରାନ୍ସଫର କରାଯାଇଥିଲା । ପ୍ରଥମ କିସ୍ତିରେ ୧୧୨ ଜଣ ଜମାକାରୀଙ୍କୁ ୧୧ ଲକ୍ଷ ୨୦ ହଜାର ଟଙ୍କା ଫେରସ୍ତ କରାଯାଇଥିଲା । ପ୍ରଥମ କିସ୍ତିରେ ନିବେଶକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଅର୍ଥ ଫେରସ୍ତ କରାଯାଇଥିଲା ।

ଗତ ୨୦୧୨ ମସିହାରେ ପାଖାପାଖି ୩ କୋଟି ନିବେଶକଙ୍କୁ ସୁଧ ସହ ଅର୍ଥ ଫେରସ୍ତ ପାଇଁ ସୁପ୍ରିମକୋର୍ଟ ସାହାରାକୁ ନିର୍ଦ୍ଦେଶ ଦେଇଥିଲେ । ନିବେଶକଙ୍କୁ ଅର୍ଥ ଫେରସ୍ତ ପାଇଁ ସାହାରା ଗ୍ରୁପର ୪ଟି କମିଟି ଉତ୍ତରଦାୟୀ ରହିଛନ୍ତି । ଗତ ୧୧ ବର୍ଷ ମଧ୍ୟରେ ସେବି ସାହାରର ଦୁଇଟି କମ୍ପାନୀର ନିବେଶକଙ୍କୁ ୧୩୮.୦୭ କୋଟି ଫେରସ୍ତ କରିଛି । ଏଥିସହିତ ସ୍ପେଶାଲ ଭାବେ ଖୋଲାଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥିବା ରାଶି ବୃଦ୍ଧି ପାଇ ୨୫ ହଜାର କୋଟିରୁ ଅଧିକ ହୋଇଯାଇଛି । ନିବେଶକଙ୍କ ଅର୍ଥ ବର୍ତ୍ତମାନ ସେବି ନିକଟରେ ରହିଛି । ତେଣୁ ଅନଲାଇନରେ ଆବେଦନ କରିଥିବା ନିବେଶକଙ୍କୁ ସେମାନଙ୍କର ଅର୍ଥ ନିଶ୍ଚିତ ମିଳିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.