fbpx

ଆଇନ ଅନୁସାରେ ପ୍ରଥମ ବିବାହ ଶେଷ ନକରିବା ପର୍ଯ୍ୟନ୍ତ ୨ୟ ସ୍ୱାମୀ କିମ୍ବା ସ୍ତ୍ରୀ ପେନସନ୍ ର ହକଦାର୍ ହେବେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟ ବୁଧବାର ଦିନ କହିଛନ୍ତି ଯେ, ଦ୍ୱିତୀୟ ପତ୍ନୀ ନିଜର ମୃତ ସ୍ୱାମୀଙ୍କର ପେନସନ୍ ର ହକଦାର୍ ନୁହେଁ । ଏହି ନିଷ୍ପତ୍ତି ପ୍ରଥମ ବିବାହର ଆଇନଗତ ପୃଥକତା ବିନା ଦ୍ୱିତୀୟ ବିବାହ ଘଟିଥିବା କ୍ଷେତ୍ରରେ ପ୍ରଯୁଜ୍ୟ ହେବ । ଜଷ୍ଟିସ୍ ଏସ୍ ଜେ କଥୱାଲା ଏବଂ ମିଲିନ୍ଦ ଯାଦବଙ୍କ ଏକ ଡିଭିଜନ୍ ବେଞ୍ଚ ସୋଲାପୁର ବାସିନ୍ଦା ଶ୍ୟାମଲ ଟାଟେଙ୍କ ଆବେଦନକୁ ଖାରଜ କରି ରାଜ୍ୟ ସରକାରଙ୍କ ପେନ୍‌ସନ୍‌ ସୁବିଧାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ହାଇକୋର୍ଟଙ୍କ କହିବାନୁସାରେ, ଶାମଲଙ୍କ ସ୍ୱାମୀ ମହାଦେବ ସୋଲାପୁର ଜିଲ୍ଲା କଲେକ୍ଟର୍ କାର୍ଯ୍ୟାଳୟରେ ଜଣେ ଚପରାସୀ ଥିଲେ ଓ ତାଙ୍କ ମୃତ୍ୟୁ ୧୯୯୬ ରେ ହୋଇଯାଇଥିଲା । ମହାଦେବ ପୂର୍ବରୁ ହିଁ ଜଣଙ୍କୁ ବିବାହ କରିଥିଲେ ଓ ତାପରେ ସେ ଦ୍ୱିତୀୟ ବିବାହ କରିଥିଲେ । ତେବେ ମହାଦେବଙ୍କ ମୃତ୍ୟୁପରେ ଶାମଲ ଟାଟେ ଓ ମହାଦେବଙ୍କ ପ୍ରଥମ ପତ୍ନୀ ଏକ ବୁଝାମଣା କରିଥିଲେ । ଉକ୍ତ ବୁଝାମଣା ଏହା ଥିଲା ଯେ, ପ୍ରଥମ ପତ୍ନୀଙ୍କ ମୃତକଙ୍କ ସେବାନିବୃତର ଲାଭ ପାଖାପାଖି ୯୦ ପ୍ରତିଶତ ମିଳିବ ଓ ଦ୍ୱିତୀୟ ପତ୍ନୀଙ୍କୁ ମାସିକ ପେନସନ୍ ମିଳିବ ।

ମହାଦେବଙ୍କ ପ୍ରଥମ ପତ୍ନୀ କର୍କଟ ରୋଗରେ ମୃତ୍ୟୁବରଣ କରିବା ପରେ ଶ୍ୟାମଲ ରାଜ୍ୟ ସରକାରଙ୍କୁ ଏକ ପତ୍ର ଲେଖିଥିଲେ ଯେ ତାଙ୍କୁ ମହାଦେବଙ୍କ ପେନସନର ବକେୟା ଦିଆଯାଉ। ବହୁ ବିଚାର ବିମର୍ଶ ପରେ ୨୦୦୭ ରୁ ୨୦୧୪ ମଧ୍ୟରେ ଶ୍ୟାମଲଙ୍କ ଚାରୋଟି ଆବେଦନକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ଶ୍ୟାମଲ ୨୦୧୯ ରେ ହାଇକୋର୍ଟଙ୍କ ନିକଟକୁ ଯାଇ ଦାବି କରିଥିଲେ ଯେ ଯେହେତୁ ସେ ମହାଦେବଙ୍କ ତିନି ସନ୍ତାନର ମା’ ଥିଲେ ଏବଂ ସମାଜ ସେମାନଙ୍କୁ ସ୍ୱାମୀ-ସ୍ତ୍ରୀ ଭାବରେ ଜାଣିଥିଲେ ତେଣୁ ସେ ଏହି ପେନସନ ପାଇବାକୁ ଯୋଗ୍ୟ । ବିଶେଷକରି ପ୍ରଥମ ପତ୍ନୀ ଯିଏ ପେନ୍ସନ୍ ଗ୍ରହଣ କରୁଥିଲେ, ବର୍ତ୍ତମାନ ତାଙ୍କର ମୃତ୍ୟୁ ହୋଇଯାଇଛି ।

Get real time updates directly on you device, subscribe now.