ନୂଆଦିଲ୍ଲୀ: ଶ୍ରୀନଗର ଏନକାଉଣ୍ଟରରେ ଭାରତୀୟ ସୁରକ୍ଷାବଳକୁ ମିଳିଛି ଏକ ବଡ଼ ସଫଳତା । ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀ ଭିତରେ ହୋଇଥିବା ଗୁଳି ବିନିମୟରେ ପ୍ରତିଶୋଧ ନେଇଛି ଭାରତ । ଆତଙ୍କବାଦୀ ସଂଗଠନର ଟପ୍ କମାଣ୍ଡର ‘ଲସ୍କର କମାଣ୍ଡର ଉସ୍ମାନ’ କାହାଣୀରେ ପୂର୍ଣ୍ଣଚ୍ଛେଦ ପକାଇଛି ଭାରତୀୟ ସେନା । ଏହି ଗୁଳିକାଣ୍ଡରେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୪ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଶ୍ରୀନଗରର ଖାନୟାର ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡରେ ପାକିସ୍ତାନୀ ଆତଙ୍କବାଦୀ ଢେର ହୋଇଥିବା ସୁରକ୍ଷାବଳ ତରଫରୁ ସୂଚନା ଦିଆଯାଇଛି ।
କାଶ୍ମୀର ଆଇଜିପି ତରଫରୁ କୁହାଯାଇଛି ଯେ, “ଖାନୟାର ଶ୍ରୀନଗର ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଆତଙ୍ବାଦୀକୁ ଚିହ୍ନଟ କରାଯାଇଛି । ଲସ୍କର ଆତଙ୍କବାଦୀ ସଂଗଠନର ଟପ୍ କମାଣ୍ଡର ଉସ୍ମାନ(ଛୋଟା ୱଲିଦ) କାହାଣୀରେ ପୂର୍ଣ୍ଣଚ୍ଛେଦ ପକାଇଛି ଭାରତୀୟ ସୁରକ୍ଷାବାହିନୀ । ପୋଲିସ ଅଧିକାରୀଙ୍କୁ ହତ୍ୟା କରିବା ସହ ଅନ୍ୟାନ୍ୟ ଆତଙ୍କୀ ଘଟଣାରେ ସାମିଲ ରହିଥିଲା ଉସ୍ମାନ ।” ପୋଲିସ ଅଧିକାରୀ କହିଛନ୍ତି ଯେ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷାବାହିନୀ । ତେବେ ପ୍ରଥମେ ଆତଙ୍କବାଦୀଙ୍କ ତରଫରୁ ଗୁଳିଚାଳନା ହେବା ପରେ ପାଲଟା ଜବାବ ଦେଇଛି ଭାରତୀୟ ସେନା । ସୁରକ୍ଷାବାହିନୀ ପକ୍ଷରୁ ଗୁଳି ଚାଳନାରେ ଆତଙ୍କବାଦୀ ଉସ୍ମାନ(ଛୋଟା ୱଲିଦ) ପ୍ରାଣ ହରାଇଛି ।
ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ହତ୍ୟା କରାଯାଇଥିବା ଆତଙ୍କବାଦୀ ପାକିସ୍ତାନୀ ଏବଂ ଲସ୍କର-ଏ-ତୋଏବା ସହିତ ଜଡିତ ଥିଲା। ବୟସକୁ ବିଚାରକୁ ନେଇ ସେ ଏଲଇଟିର ବରିଷ୍ଠ ଆତଙ୍କବାଦୀ ବୋଲି ଜଣାପଡିଛି। ଅଧିକାରୀ କହିଛନ୍ତି ଯେ, ଏହି ଏନକାଉଣ୍ଟରରେ ଦୁଇଜଣ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ସୈନିକ ଏବଂ ଦୁଇ ଜଣ ପୋଲିସ ଆହତ ହୋଇଛନ୍ତି, ସେମାନଙ୍କୁ ସେନାର ୯୨ ବେସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।