ନୂଆଦିଲ୍ଲୀ: ଦେଶରେ ରାଜଦ୍ରୋହ ଆଇନର ବୈଧତାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । ଏହି ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା ସୁପ୍ରିମକୋର୍ଟରେ ପକ୍ଷ ରଖିଛନ୍ତି । ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କରାଯିବା ପାଇଁ କେନ୍ଦ୍ର ସରକାର ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି । ଜିଲ୍ଲା ଏସପି ବା ତାଙ୍କଠାରୁ ଉପର ସ୍ତରର ଅଧିକାରୀଙ୍କ ମଞ୍ଜୁରୀ ବିନା ରାଜଦ୍ରୋହ ଧାରାରେ ଏଫଆଇଆର ଦାୟର କରାଯାଇ ପାରିବ ନାହିଁ । ବର୍ତ୍ତମାନ ପାଇଁ ଏହି ଆଇନ ଉପରେ ରୋକ ଲାଗୁ ହେବା ଅନୁଚିତ ହେବ ବୋଲି ସଲିସିଟର ଜେନେରାଲ କହିଛନ୍ତି ।
ଅନ୍ୟପକ୍ଷରେ ରାଜଦ୍ରୋହ ଆଇନ ଉପରେ ତକ୍ରାଳ ଭିତ୍ତିରେ ରୋକ ଲଗା ଯିବାକୁ ୟାଚିକାକର୍ତ୍ତାଙ୍କ ପକ୍ଷରୁ ପକ୍ଷ ରଖି ଆଇନଜୀବୀ କପିଲ ସିବଲ ଦାବି କରିଛନ୍ତି । ଏହା ପୂର୍ବରୁ ୟାଚିକାକର୍ତ୍ତାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଥିଲା ଯେ, ରାଜଦ୍ରୋହ ଆଇନର ବୈଧତା ମାମଲାର ବିଚାର ପାଇଁ ଯଦି କୋର୍ଟ ଏକ ବଡ଼ ବେଞ୍ଚ ପଠାଇବା ସପକ୍ଷରେ ଅଛନ୍ତି, ତେବେ ଏହି ସମୟରେ ଆଇନ ଉପରେ ରୋକ ଲାଗୁ କରିବା ଦରକାର ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସମୟରେ ତିନି ଜଣ ବିଚାରପତିଙ୍କୁ ନେଇ ଗଠିତ ବେଞ୍ଚ ରାଜଦ୍ରୋହ ଆଇନର ଶୁଣାଣି କରୁଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ମୁଖ୍ୟ ବିଚାରପତି ଏନଭି ରମଣ, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲୀ । ଏହି ଆଇନର ପୁନର୍ବିଚାର ଓ ପୁନଃ ଯାଞ୍ଚ ପାଇଁ ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି । ରାଜଦ୍ରୋହ ଆଇନର ଧାରା ୧୨୪ ଏର ବୈଧତା ଉପରେ ପୁନର୍ବାର ବିଚାର କରାଯିବ । ତେଣୁ ଏହାର ବୈଧତା ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣି ନ କରିବାକୁ କେନ୍ଦ୍ର ସରକାର କହିଛନ୍ତି ।