(Video) ଜାତୀୟ ପକ୍ଷୀ ପ୍ରତି ଏ କି ଅସମ୍ମାନ! ମୃତ ମୟୂରର ଶରୀରରୁ ପର ସବୁ କାଢ଼ି ଘରକୁ ନେଇଗଲେ ସ୍ୱାର୍ଥପର ମଣିଷ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ ଏପରି କିଛି ନିନ୍ଦନୀୟ ଘଟଣା ଘଟିଥାଏ, ଯାହାକୁ ଦେଖିଲେ ମଣିଷ ଉପରୁ ଭରସା ତୁଟି ଯାଇଥାଏ । ତେବେ ଏହା ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଭିଡିଓ ତା’ର ଏକ ବଡ଼ ପ୍ରମାଣ ଦେଇଛି । ସାଧାରଣ ଭାବେ ଜଣେ ବ୍ୟକ୍ତି ମରିଗଲେ ପରେ ସମସ୍ତେ ତାଙ୍କର ପ୍ରଶଂସା କରିବା ସହ ମଶାଣିକୁ ନେଇ ଅନ୍ତିମ ସଂସ୍କାର କରିଥାନ୍ତି । ତେବେ ଏଠାରେ ଗୋଟିଏ ପକ୍ଷୀର ମୃତ୍ୟୁ ପରେ ତା’ ସହ ମଣିଷ ଯାହା କରିଛି ସେ କେବଳ ‘ରାକ୍ଷସ’ ପଦବାଚ୍ୟ ହେବା ହିଁ ସାର ହେବ ।

ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଉଛି, ରାସ୍ତାରେ ପଡ଼ି ରହିଥିବା ଗୋଟିଏ ମୃତ ମୟୂରର ଶରୀରରୁ ଲୋକମାନେ ପର ସବୁ କାଢ଼ି ଘରକୁ ନେଇଯାଉଛନ୍ତି । ଏହ ଭିଡିଓ ଦେଖିବା ପରେ ମନକୁ ଆସୁଛି, ‘ହେ ଭଗବାନ! ଆପଣ ମଣିଷକୁ ଏ ସଂସାରକୁ କାହିଁକି ପଠାଇଣେ, ମଣିଷ ଏତେ ସ୍ୱାର୍ଥପର କେମିତି ହୋଇ ପାରିଲା?’ ଗୋଟିଏ ଜୀବ ବଞ୍ଚିଥିବା ବେଳେ ତାକୁ ସାହାଯ୍ୟ କରିବା ଦୂରର ଦୂରେ ଥାଉ ତା’ର ମୃତ୍ୟୁ ପରେ ଯଦି ତା’ ପ୍ରତି ଟିକେ ସହାନୁଭୂତି ଜ୍ଞାପନ କରିଥାନ୍ତେ ତେବେ ତାହା ଏକ ମହତ୍ କାର୍ଯ୍ୟ ଭାବେ ଗଣାହୋଇଥାନ୍ତା । ମାତ୍ର ଏଠି ସ୍ୱାର୍ଥାନ୍ଧ ମଣିଷମାନେ ନିଜେ କ’ଣ କରୁଛନ୍ତି ତାହା ଭୁଲି ଯାଇଛନ୍ତି ।

ଅନେକ ସମୟରେ ପର ପାଇବା ଲୋଭରେ କିଛି ମୟୂରକୁ ଲୋକମାନେ ହତ୍ୟା କରିବାକୁ ପଛାଇ ନଥାନ୍ତି । ମୟୂରଟି ପଡ଼ି ରହିଥିବା ବେଳେ କିଛି ସ୍ୱାର୍ଥପର ମଣିଷ ତା’ ଦେହରୁ ପର ସବୁ କାଢ଼ି ନେବାରେ ବ୍ୟସ୍ତ । ଏହି ଦୃଶ୍ୟକୁ ଦେଖିବା ପରେ ମଣିଷ ଉପରେ ଯେତିକି କ୍ରୋଧ ଆସୁଛି ସେତିକି ନିନ୍ଦା କରିବାକୁ ଇଚ୍ଛା ହେଉଛି । ଭାରତର ଜାତୀୟ ପକ୍ଷୀ ମୟୂରକୁ ଏପରି ଅସମ୍ମାନ ନିଶ୍ଚିତ ଭାବେ ଏକ ନିନ୍ଦନୀୟ ଘଟଣା । ଏହି ଘଟଣାରେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ଅନେକ ଦାବି କରିଛନ୍ତି ।