ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ସାରା ଦେଶର ରାଜନୈତିକ କ୍ଷେତ୍ର ଏବେ ଚଳଞ୍ଚଳ ହୋଇ ଉଠିଛି । ଏଥିସହିତ ଚଳିତ ବର୍ଷ ଶେଷ ଆଡ଼କୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ସେହି ରାଜ୍ୟମାନଙ୍କ ମଧ୍ୟରେ ଛତିଶଗଡ଼ ରହିଛି । ତେବେ ରାଜ୍ୟରେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନର ମତଦାନକୁ ନେଇ ଏକ ଅପଡେଟ୍ ଆସିଛି ।
ସୂଚନା ମୁତାବକ, ଛତିଶଗଡ଼ ବିଧାନସଭା ନିର୍ବାଚନରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଘରେ ରହି ସେମାନଙ୍କର ମତଦାନ କରିପାରିବେ । ୮୦ ବର୍ଷରୁ ଅଧିକ ବୟସ ହୋଇଥିବା ବରିଷ୍ଠ ନାଗରିକ ଓ ୪୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ହୋଇଥିବା ବ୍ୟକ୍ତି ଘରେ ରହି ପୋଷ୍ଟାଲ ବାଲାଟ ମାଧ୍ୟମରେ ନିଜ ନିଜର ମତଦାନ କରିପାରିବେ । ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଏନେଇ ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ଶେଷ ଆଡ଼କୁ ରାଜ୍ୟରେ ବିଧାନସଭା ନିର୍ବାଚନ ଆରମ୍ଭ ହୋଇ ଆସନ୍ତା ବର୍ଷ ଜାନୁଆରୀ ୩ ତାରିଖରେ ସମାପ୍ତ ହେବ । ତେବେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗକୁ ନେଇ ଭାରତୀୟ ନିର୍ବାଚନ ଆୟୋଗ ନେଇଥିବା ଏହି ନିଷ୍ପତ୍ତି ନିଶ୍ଚିତ ଭାବେ ପ୍ରଶଂସନୀୟ । ରାଜ୍ୟରେ ୨ ଲକ୍ଷରୁ ଅଧିକ ଭୋଟରଙ୍କ ବୟସ ୮୦ ବର୍ଷ ଉପରେ ରହିଛି । ତେଣୁ ସେମାନଙ୍କର ସୁବିଧା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଏହି ସୁବିଧା ପାଇବାକୁ ହେଲେ ସେମାନଙ୍କୁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାର ୫ ଦିନ ମଧ୍ୟରେ ୧୨ଡି ଫର୍ମ ପୂରଣ କରିବାକୁ ପଡ଼ିବ । ଏହି ଭୋଟରଙ୍କୁ ମତଦାନ କେନ୍ଦ୍ରକୁ ନେବା ଓ ଆଣିବା ସୁବିଧା ମଧ୍ୟ କରାଯାଇଛି ବୋଲି ଶ୍ରୀ କୁମାର କହିଛନ୍ତି ।