fbpx

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା: ଆର୍ଥିକ ଦୁର୍ବଳ ଶ୍ରେଣୀ ନାଗରିକମାନଙ୍କୁ ମିଳିବ ସମ୍ପୂର୍ଣ୍ଣ ରିହାତି ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ଜାନୁଆରୀରୁ ଆରମ୍ଭ ହେବ ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ଯୋଜନା। ଏଥିଲାଗି ରାଜ୍ୟ ସରକାର ସମ୍ଭାବ୍ୟ ତୀର୍ଥଯାତ୍ରୀଙ୍କ ଯୋଗ୍ୟତା ଏବଂ ଯୋଜନାର ସୁବିଧା ସୁଯୋଗ ଘୋଷଣା କରିଛନ୍ତି । ଏହି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ମାଗଣାରେ ଭ୍ରମଣ କରିବା ପାଇଁ ରାଜ୍ୟ ସରକାର ସୁବିଧା ଯୋଗାଇଥାନ୍ତି । ପର୍ଯ୍ୟଟନ ବିଭାଗ ଦ୍ୱାରା ଏହି ଯୋଜନାକୁ ଇଣ୍ଡିଆନ ରେଲୱେ କ୍ୟାଟେରିଂ ଏବଂ ଟୁରିଜିମ୍‍ କର୍ପୋରେସନ୍‍ (ଆଇ.ଆର.ସି.ଟି.ସି.) ସହଯୋଗରେ ରୂପାୟନ କରାଯାଉଛି ।

ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥଥିବା ଆଗ୍ରହୀ ବରିଷ୍ଠ ନାଗରିକମାନେ ଓଡ଼ିଶା ପର୍ଯ୍ୟଟନ ବିଭାଗର ୱେବ୍‍ସାଇଟ୍‍ରୁ ଅଧିକ ତଥ୍ୟ ପାଇପାରିବେ । ସେମାନେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କୁ ଡିସେମ୍ବର ୨୯ ତାରିଖ ସୁଦ୍ଧା ନିଜ ଦ୍ୱାରା କିମ୍ବା ଡାକ ଯୋଗେ ଆବେଦନ କରିପାରିବେ । ଆୟକର ଦେଉଥିବା ବରିଷ୍ଠ ନାଗରିକ ଏହି ଯୋଜନାର ପରିସରଭୁକ୍ତ ହେବେ ନାହିଁ । ଉପଯୁକ୍ତ ଦରଖାସ୍ତ ପାଇବା ପରେ ସମ୍ପୃକ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଲଟେରୀ ମାଧ୍ୟମରେ ତୀର୍ଥଯାତ୍ରୀଙ୍କ ଚୟନ କରିବେ ଏବଂ ସେମାନଙ୍କୁ ଆବଶ୍ୟକ ସୂଚନା ଜଣାଇବେ ।

ଏ ବର୍ଷ ବ୍ରହ୍ମପୁର, ବାଲେଶ୍ୱର, ଭୁବନେଶ୍ୱର, ରାୟଗଡ଼ା ଓ ସମ୍ବଲପୁରରୁ ୫ଟି ଟ୍ରେନ୍‍ ବିଭିନ୍ନ ତୀର୍ଥ ସ୍ଥାନକୁ ଯାତ୍ରା କରିବ । ଯେଉଁ ପାଞ୍ଚଟି ତୀର୍ଥ ସର୍କିଟ ଏଥିପାଇଁ ନିର୍ଦ୍ଧାରଣ କରାଯାଇଛି ସେଗୁଡ଼ିକ ହେଲା ବ୍ରହ୍ମପୁରରୁ ରାମେଶ୍ୱରମ୍‍-ମଦୁରାଇ, ବାଲେଶ୍ୱରରୁ ହରିଦ୍ୱାର-ଋଷିକେଶ, ଭୁବନେଶ୍ୱରରୁ ଆଜମେର-ପୁଷ୍କର, ରାୟଗଡ଼ାରୁ ତିରପୁତି-ଭେଲୋର–ଶ୍ରୀକଳାହସ୍ତି ଏବଂ ସମ୍ବଲପୁରରୁ ସିରିଡ଼ି-ନାସିକ-ତ୍ରୟମ୍ବକେଶ୍ୱର । ଇଚ୍ଛୁକ ବରିଷ୍ଠ ନାଗରିକ ଓଡ଼ିଶା ପର୍ଯ୍ୟଟନ ବିଭାଗର ୱେବ୍‍ସାଇଟ୍‍ www.odishatourism.gov.inରେ ଅଧିକ ତଥ୍ୟ ପାଇପାରିବେ।

Get real time updates directly on you device, subscribe now.