fbpx

ବରିଷ୍ଠ କଂଗ୍ରେସ ନେତାଙ୍କୁ ଦଳରୁ ବହିଷ୍କାର: ଦଳ ବିରୋଧୀ କାର୍ଯ୍ୟ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଅନୁଷ୍ଠିତ ହେବ ଲୋକସଭା ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ବିଜେପି ଓ ବିରୋଧୀ ଶିବିର ଚଳଚଞ୍ଚଳ ହୋଇ ଉଠିଛି । ଏଥିସହିତ ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ନୂଆ ନୂଆ ନେତାଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରୁଛନ୍ତି । ତେବେ ଏହା ମଧ୍ୟରେ ରାଜନେତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଜଣେ କଂଗ୍ରେସ ନେତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ।

ଖବର ମୁତାବକ, ତ୍ରିପୁରା କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ବିଲାଲ ମିୟାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଏହା ପୂର୍ବରୁ ବିଲାଲ ପାର୍ଟିର ସମସ୍ତ ପଦରୁ ଇସ୍ତଫା ଦେଇସାରିଥିଲେ । ତେବେ ବିଲାଲ ତାଙ୍କର ଇସ୍ତଫା ପଦ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିକଟକୁ ପଠାଇ ଦେଇଛନ୍ତି । କଂଗ୍ରେସ ଛାଡ଼ିବା ପରେ ଏବେ ବିଲାଲ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି ।

କିଛିଦିନ ପୂର୍ବରୁ ବିଲାଲ ତ୍ରିପୁରାର ବରିଷ୍ଠ ମନ୍ତ୍ରୀ ରତନ ଲାଲ ନାଥ ଓ ସୁଶାନ୍ତ ଚୌଧରୀଙ୍କୁ ସାକ୍ଷାତ କରିଥିଲେ । ତେବେ ଦଳ ବିରୋଧୀ କାର୍ଯ୍ୟକଳାପ କାରଣରୁ ବିଲାଲଙ୍କୁ କଂଗ୍ରେସରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଥିବା ଦଳର ଜଣେ ବରିଷ୍ଠ ନେତା କହିଛନ୍ତି । ଅନ୍ୟପକ୍ଷରେ ବିଲାଲ କହିଛନ୍ତି ସେ ଦୀର୍ଘ ୪୪ ବର୍ଷ ଧରି ଦଳ ସହ ରହିଥିଲେ ଓ ଏହି ଅବସରରେ ସେ ବିଭିନ୍ନ ପଦରେ ରହିଆସିଥିଲେ । ତେବେ ଆଗକୁ ରାଜ୍ୟରେ ଉପନିର୍ବାଚନ ହେବାକୁ ଥିବାରୁ ଶତାଧିକ କଂଗ୍ରେସର କର୍ମୀଙ୍କ ସହିତ ବିଲାଲ ବିଜେପିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି ।

Get real time updates directly on you device, subscribe now.