fbpx

ବରିଷ୍ଠ ସାମ୍ବାଦିକ ଜଗନମୋହନ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମ୍ବାଦିକତା କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ବରିଷ୍ଠ ସାମ୍ବାଦିକ ଜଗନମୋହନ ମହାପାତ୍ରଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା । ସାମ୍ବାଦିକତା ସହିତ କଳା, ସଂସ୍କୃତି ଓ ସମାଜସେବାରେ ଡକ୍ଟର ଜଗନମୋହନ ବେଶ୍ ସୁପରିଚିତ ଥିଲେ । ତାଙ୍କର ମୃତ୍ୟୁରେ ସାମ୍ବାଦିକତା ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

ଶ୍ରୀ ମହପାତ୍ର ବ୍ରହ୍ମପୁରର ଏମକେସିଜି ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ଦୀର୍ଘ ୩୦ ବର୍ଷ ଧରି ଜଗନମୋହନ ସାମ୍ବାଦିକତା କ୍ଷେତ୍ର ସହିତ ଜଡ଼ିତ ଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ । ଗତବର୍ଷ ସେ ଗବେଷଣା କରି ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ । ୧୯୯୩ ମସିହାରେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରୁ ସ୍ନାତକୋତ୍ତର ପାସ୍ କରିବା ପରେ ସାମ୍ବାଦିକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିଥିଲେ ।

ଜଗନମୋହନଙ୍କ ଅଚାନକ ବିୟୋଗରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଜଗନମୋହନ ବିଶିଷ୍ଟ ଜ୍ୟୋତିଷ ବିଶାରଦ ବାଇକୋଳି ମହାପାତ୍ରଙ୍କର ନାତି ଥିଲେ । ବ୍ରହ୍ମପୁରରେ ଆଞ୍ଚଳିକ କେବୁଲ ଟେଲିଭିଜନ ପ୍ରତିଷ୍ଠା କ୍ଷେତ୍ରରେ ଜଗନମୋହନଙ୍କ ବିଶେଷ ଅବଦାନ ରହିଥିଲା । ଏହା ପୂର୍ବରୁ ଗତ ଫେବୃଆରୀ ମାସରେ ରାଜ୍ୟର ବରିଷ୍ଠ ସାମ୍ବାଦିକ ଅଜିତ ମହାନ୍ତିଙ୍କ ପରଲୋକ ଘଟିଥିଲା । ୭୩ ବର୍ଷରେ ଅଜିତ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

Get real time updates directly on you device, subscribe now.