ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ପରଲୋକ ଘଟିଛି । ଶନିବାର ଭୋରରୁ ତାଙ୍କ ପରଲୋକ ଘଟିଛି । କିଛି ଦିନ ଧରି ସେ ଅସୁସ୍ଥ ଥିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ସେ ପ୍ରାୟ ଚାରି ଦଶନ୍ଧି ଧରି ଶାସନ ଏବଂ ରାଜନୀତିର ଖବର ପରିବେଷଣ କରିଥିଲେ। ସେ ଅନେକ ଖବର କାଗଜ ସଂସ୍ଥା ସହ ଜଡିତ ଥିଲେ। ସେ ଓଡ଼ିଶାର ସାମାଜିକ ଓ ରାଜନୈତିକ ଚେତନାର ଏକ ନିଷ୍ଠାବାନ କଣ୍ଠସ୍ବର ଥିଲେ ବୋଲି କୁହଯାଏ । ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ସିପ୍ରା ମହାନ୍ତି ଏବଂ ଦୁଇ ଝିଅ ପୂଜା ଏବଂ ବନ୍ଦନା ରହିଛନ୍ତି।
ତେବେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି ଯେ, ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ରତି ଭାଇ ଭାବରେ ରାଜ୍ୟର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସେ ବେଶ ଜଣାଶୁଣା ଥିଲେ । ତାଙ୍କର ଦୀର୍ଘ ସାମ୍ବାଦିକତା ଜୀବନରେ ସଚ୍ଚୋଟତା, ନିରପେକ୍ଷତା ଓ କର୍ତ୍ତବ୍ୟନିଷ୍ଠା ପାଇଁ ସ୍ମରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରୁଛି ।
ଅନ୍ୟପକ୍ଷେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ରଜନେତା ତାଙ୍କ ଦେହାନ୍ତ ଖବରପାଇ ଶୋକ ବ୍ୟକ୍ତ କରିଛନ୍ତି। ସେ ଜଣେ ପରୋପକାରୀ, ସ୍ନେହୀ, ସରଳ ଜୀବନଯାପନ କରୁଥିବା ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।