fbpx

ପରଲୋକରେ ବରିଷ୍ଠ ସାମ୍ବାଦିକ ବେଦ ପ୍ରତାପ: ଭାରତ-ପାକିସ୍ତାନକୁ ନେଇ ବିବାଦୀୟ ବୟାନ ଦେଇଥିଲେ

ନୂଆଦିଲ୍ଲୀ: ଗଣମାଧ୍ୟମ ଜଗତରୁ ଏକ ଦୁଃଖଦ ଖବର ଆସିଛି । ବରିଷ୍ଠ ସାମ୍ବାଦିକ ତଥା ବିଚାରକ ବେଦ ପ୍ରତାପ ବୈଦିକ ଆଉ ନାହାନ୍ତି । ବେଦ ୭୮ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ନିଜ ଘରର ବାଥରୁମରେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି । ଆଜି ସକାଳ ପାଖାପାଖି ୯ଟା ସମୟରେ ଏହି ଘଟଣା ଘଟିଥିବାକୁ ଜଣାପଡ଼ିଛି । ଏହି ଅଘଟଣ ଘଟିବା ପରେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବେଦ ଦେଶର ଜଣେ ସିନିୟର ଜର୍ଣ୍ଣାଲିଷ୍ଟ ଭାବେ ମିଡ଼ିଆ ଜଗତରେ ବେଶ ପରିଚିତ ଥିଲେ । ସେ ଗତ ୨୦୧୪ରେ ପାକିସ୍ତାନର ଖୁଂଖାର ଆତଙ୍କବାଦୀ ଓ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦର ସାକ୍ଷାତକାର ନେଇଥିଲେ । ଏହାକୁ ନେଇ ସେ ବିବାଦ ଘେରରେ ରହିଥିଲେ । ସେ କଶ୍ମୀରକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ପାକିସ୍ତାନ ଓ ଭାରତ ଯଦି ଚାହିଁବେ ତେବେ କଶ୍ମୀର ଆଜାଦ ହୋଇପାରିବ ବୋଲି ବେଦ ଏକ ପାକିସ୍ତାନୀ ଚାନେଲକୁ ଇଣ୍ଟରଭ୍ୟୁ ଦେବା ଅବସରରେ କହିଥିଲେ ।

ବେଦ ଯେତେବେଳେ ପାକିସ୍ତାନ ଯାଇ ହାଫିଜର ସାକ୍ଷାତକାର ନେଇଥିଲେ, ସେ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ସେ କିଛି ଭୁଲ୍ ବୟାନ ଦେଇଥିଲେ । ଏହାପରେ ସେ ଭାରତ ଫେରିବା ପରେ ତାଙ୍କୁ ବିରୋଧ କରାଯାଇଥିଲା । ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚାଲିବା ନେଇ ଦାବି ହୋଇଥିଲା । ଏପରିକି ସଂସଦର ଦୁଇ କକ୍ଷରେ ବେଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଦାବି ହୋଇଥିଲା । ତେବେ ସେ କାହାକୁ ଡରନ୍ତି ନାହିଁ କି ସେ କାହା ସହ କିଛି ବି ବୁଝାମଣା କରିନାହାନ୍ତି ବୋଲି ବେଦ ଏହାର ଜବାବରେ କହିଥିଲେ । ବେଦ ତାଙ୍କ କ୍ୟାରିୟରରେ ବହୁ ବଡ଼ ମିଡ଼ିଆ ସଂସ୍ଥାରେ କାର୍ଯ୍ୟ କରିଥିଲେ । ଜୀବନର ଶେଷ ପର୍ଯ୍ୟନ୍ତ ଅନେକ ପ୍ରମୁଖ ପତ୍ରପତ୍ରିକାରେ ରାଜନୀତି ଓ ଅନ୍ୟ ବିଷୟରେ ତାଙ୍କର ଲେଖା ପ୍ରକାଶିତ ହେଉଥିଲା ।

Get real time updates directly on you device, subscribe now.