fbpx

୭ ମାସରେ ସବୁଠାରୁ ଭୟଙ୍କର ମାର୍କେଟ କ୍ରାସ: ନିବେଶକ ହରାଇଲେ ୮ ଲକ୍ଷ କୋଟି

ନୂଆଦିଲ୍ଲୀ: କ୍ରମାଗତ ଚତୁର୍ଥ ଦିନ ପାଇଁ ତଳୁଆ ରହିଛି ଭାରତୀୟ ଶେୟାର ବଜାର । ବିଗତ ୭ ମାସ ମଧ୍ୟରେ ସବୁଠାରୁ ବଡ କ୍ରାସ ସହିତ ନିବେଶକ ମାନେ ଗୋଟିଏ ଦିନରେ ହରାଇଛନ୍ତି ୮ ଲକ୍ଷ କୋଟି । ସୋମବାର ଭାରତୀୟ ଶେୟାର ବଜାର ବା ମୁମ୍ବାଇର ଦଲାଲ ଷ୍ଟ୍ରିଟ ନିବେଶକଙ୍କ ରକ୍ତରେ ହୋଲି ଖେଳିଥିଲା । ଇକ୍ୱିଟିରେ ନିବେଶକ ମାନେ ୭.୮୬ ଲକ୍ଷ କୋଟି ଟଙ୍କା ହରାଇଥିଲେ । କୃଷି ଆଇନ ପ୍ରତ୍ୟାହାର କାରଣରୁ ବିଭିନ୍ନ କର୍ପୋରେଟ ଶେୟାର ତଳୁଆ ରହିଥିବା ବେଳେ ଆରାମକୋ ସହିତ ଓଟୁସି ଡିଲ୍ କ୍ୟାନସଲ ହେବା କାରଣରୁ କ୍ଷତି ସହିଥିଲା ରିଲାଏନ୍ସ । ୩୦ ଶେୟାର ବିଶିଷ୍ଟ ସେନସେକ୍ସ ୧୧୭୦.୧୨ ପଏଣ୍ଟ ବା ୧.୯୬ ପ୍ରତିଶତ ତଳକୁ ଖସିଥିବା ବେଳେ ନିଫଟଶ ପ୍ରାୟ ୧.୯୬ ପ୍ରତିଶତ ବା ୩୪୮.୨୫ ପଏଣ୍ଟ ତଳକୁ ଖସିଥିଳା । ଇଣ୍ଡିଆ ଭିକ୍ସର ଅଂଶଧନ ମୂଲ୍ୟ ୧୮ ପ୍ରତିଶତ ତଳକୁ ଖସିଥିବା ବେଳେ ଭାରତୀ ଏୟାରଟେଲ ଓ ଭୋଡାଫୋନ ଆଇଡିଆ ଶେୟାର ମୂଲ୍ୟ ୮ ପ୍ରତିଶତ ଉପରକୁ ଉଠିଥିଲା । ଆରାମକୋ ସହିତ ଓଟୁସି ଡିଲ୍ କ୍ୟାନସଲ ହେବା କାରଣରୁ ରିଲାଏନ୍ସ ଶେୟାର ୪ ପ୍ରତିଶତ ତଳକୁ ଖସିଥିଲା । ପେଟିଏମ ଶେୟାର ମୂଲ୍ୟ ୧୩ ପ୍ରତିଶତ ତଳକୁ ଖସିଥିବା ବେଳେ ଗୋ ଫ୍ୟାସନ ଆଇଡିଆର ଆଇପିଓ ସବସ୍କ୍ରିପସନ ୧୧୦ ଗୁଣା ରହିଛି ।
କାହିଁକି ପ୍ରଭାବିତ ହେଉଛି ବଜାର:
କରୋନା ଲକଡାଉନ୍: କରୋନା ସଂକ୍ରମଣ ବଢିବା କାରଣରୁ ସମଗ୍ର ଦେଶରେ ଲକଡାଉନ ଜାରି କରିଛି ଅଷ୍ଟ୍ରିଆ । ଏହା ସହିତ ଟିକାକରଣ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଜର୍ମାନୀ, ସ୍ଲୋଭାକିଆ, ଚେକ୍ ରିପବ୍ଲିକ୍ ଏବଂ ବେଲଜିୟମ ପରି ଦେଶ ଗୁଡିକ ମଧ୍ୟ କରୋନାକୁ ନେଇ ଦୃଢ ହେବା ବଜାରକୁ ପ୍ରଭାବିତ କରିବାରେ ସମର୍ଥ ହୋଇଛି ।
ଦରବୃଦ୍ଧି: ବୁନ୍ଦେସବ୍ୟାଙ୍କ ପକ୍ଷରୁ ଦରବୃଦ୍ଧି ଏବଂ ମାନ୍ଦାବସ୍ଥାକୁ ନେଇ ୟୁରୋପିଆନ ସେଣ୍ଟ୍ରାଲ ବ୍ୟାଙ୍କକୁ ଚେତାଇ ଦିଆଯାଇଥିଲା । ମାନ୍ଦାବସ୍ଥା ୨ ପ୍ରତିଶତରୁ କମ ରହିବ ଏବଂ ଏଥିପାଇଁ ପ୍ରସ୍ତୁତ ରହିବା ପାଇଁ ଚେତାବନୀ ମାର୍କେଟ କ୍ରାସର ପ୍ରମୁଖ କାରଣ ରହିଥିଲା ।
ଅଶୋଧିତ ତୈଳର ମୂଲ୍ୟହ୍ରାସ: ଅଶୋଧିତ ତୈଳ ମୂଲ୍ୟରେ ହଠାତ ହ୍ରାସ ଘଟିବା କାରଣରୁ ଶେୟାର ବଜାର ପ୍ରଭାବିତ ହୋଇଥିଲା ।
ବ୍ଲୁଚିପ୍ ଶେୟାର ଗୁଡିକ ମଧ୍ୟରେ ଭାରତୀ ଏୟାରଟେଲ ଲାଭରେ ରହିଥିବା ବେଳେ ଟାଟା ମୋଟର୍ସ, ରିଲାଏନ୍ସ, ଏନଟିପିସି, ଇଣ୍ଡିଆନ ଅଏଲ, ଏସବିଆଇ ଏବଂ ଟାଇଟନ କ୍ଷତି ସହିଥିଲେ । ମାତ୍ର ୯୦୬ଟି ଷ୍ଟକ ଗ୍ରୀନରେ ରହିଥିବା ବେଳେ ୨୪୯୮ଟି ଷ୍ଟକରେ ନିବେଶକଙ୍କୁ କ୍ଷତି ସହିବାକୁ ପଡିଥିଲା । ୧୯୫ଟି ଶେୟାର ସର୍ବକାଳୀନ ଶ୍ରେଷ୍ଠ ସ୍ତର ଛୁଇଁଥିଲେ । ୟୁରୋପିଆନ ଶେୟାର ବଜାର ଗୁଡିକ ଏହି ସମୟରେ ଲାଭରେ ରହିଥିବା ବେଳେ ସମସ୍ତ ଏସୀୟ ଷ୍ଟକ ବଜାର କ୍ଷତିରେ ରହିଥିଲେ ।

Get real time updates directly on you device, subscribe now.