ଭାରତର ଟେଷ୍ଟ ପରାଜୟ ପାଇଁ କେଉଁମାନେ ଦାୟୀ? ସିରିଜ୍ ହାରିବା ପଛରେ ୭ଟି ବଡ଼ କାରଣ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତର ଲଜ୍ଜାଜନକ ପରାଜୟକୁ ନେଇ ଏବେ କ୍ରୀଡ଼ାପ୍ରେମୀଙ୍କ ମହଲରେ ନୈରାଶ୍ୟ ଖେଳି ଯାଇଛି । ଦୀର୍ଘ ୧୨ ବର୍ଷ ପରେ ପ୍ରଥମ ଥର ଟିମ୍ ଇଣ୍ଡିଆ ଘରୋଇ ମାଟିରେ ପରାଜୟ ବରଣ କରିଥିବା ବେଳେ ଭ୍ରମଣକାରୀ ଟିମ୍ ନ୍ୟୁଜିଲାଣ୍ଡ ଏହି ଟେଷ୍ଟ ସିରିଜ୍ ଜିତି ଇତିହାସ ରଚିଛି । ମିଚେଲ ସାଣ୍ଟନରଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ଫଳରେ ଟିମ୍ ଇଣ୍ଡିଆର ଦୁର୍ଗ ଭୁଶୁଡ଼ି ଯାଇଛି । ସାଣ୍ଟନର ପ୍ରଥମ ଇନିଂରେ ୭ଟି ୱିକେଟ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ୬ଟି ୱିକେଟ ଅକ୍ତିଆର କରିଥିଲେ । ୩୫୯ ରନର ଟାର୍ଗେଟକୁ ପିଛା କରିବାକୁ ଯାଇ ଭାରତ ତୃତୀୟ ମାତ୍ର ୨୪୫ ରନରେ ସୀମିତର ରହିଯାଇଥିଲା । ଫଳରେ ନ୍ୟୁଜିଲାଣ୍ଡ ୧୧୩ ରନରେ ବିଜୟୀ ହୋଇଥିଲା । ପୂର୍ବରୁ ଭାରତ ଘରୋଇ ମାଟିରେ କ୍ରମାଗତ ୧୮ଟି ଟେଷ୍ଟ ଜିତିଆସୁଥିବା ବେଳେ ଏବେ ସେହି ରେସରେ ବ୍ରେକ୍ ଲଗାଇଛି ନ୍ୟୁଜିଲାଣ୍ଡ । ତେବେ ଘରୋଇ ମାଟିରେ କ୍ରମାଗତ ଟେଷ୍ଟ ଜିତିଆସୁଥିବା ଟିମ୍ ଇଣ୍ଡିଆର ଏହି ସ୍ଥିତି ପାଇଁ ଦାୟୀ କିଏ, ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ । ଏଥିପାଇଁ ଅନେକ କାରଣ ରହିଛି ।

୧- ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ମାତ୍ର ୪୬ ରନରେ ଅଲଆଉଟ ହେବା ନ୍ୟୁଜିଲାଣ୍ଡକୁ ଅଗ୍ରଣୀ କରିସାରିଥିଲା । ଦଳର ୫ ଜଣ ଟପ୍ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରିନଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ ।

୨- ଭାର ପ୍ରଥମ ଇନିଂରେ କମ୍ ସ୍କୋର କରିଥିବା ବେଳେ ନ୍ୟୁଜିଲାଣ୍ଡ କିନ୍ତୁ ୪୦୦ ଟପିଯାଇଥିଲା । ଏହା ଭାରତ ପାଇଁ ମହଙ୍ଗା ପଡ଼ିଥିଲା । ଭାରତ ଦ୍ୱିତୀୟ ଇନିଂସରେ ୪୦୦ ରନ ଅତିକ୍ରମ କରିଥିଲେ ହେଁ ସେତେବେଳକୁ ମ୍ୟାଚ ହାତରୁ ଖସିଯାଇଥିଲା ।

୩- ପ୍ରଥମ ଟେଷ୍ଟର ଭୁଲ ଦ୍ୱିତୀୟ ଟେଷ୍ଟରେ ଦୋହରାଇଥିଲା ଭାରତ । ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୧୫୬ ରନରେ ଅଲଆଉଟ୍ ହୋଇଯାଇଥିଲା । ଉଭୟ ଇନିଂସରେ ଭାରତର ବୋଲିଂ ଯଦିଓ ଭଲ ରହିଥିଲା, ମାତ୍ର ବ୍ୟାଟିଂ ଅତ୍ୟନ୍ତ ଦୁର୍ବଳ ରହିଥିଲା ।

୪- ଉଭୟ ଟେଷ୍ଟରେ ଅଧିନାୟକ ରୋହିତ ଶର୍ମା, ବିରାଟ, କୋହଲି, କେଏଲ ରାହୁଲ ବାରମ୍ବାର ବିଫଳ ହେବା ଦଳର ପରାଜୟ ପାଇଁ ବାଟ ଖୋଲିଥିଲା । ଯେଉଁ ବଡ଼ ଖେଳାଳିଙ୍କ ପ୍ରଦର୍ଶନରେ ଦଳ ଜିତିବା କଥା, ସେହି ଖେଳାଳ ଯଦି ଫ୍ଲପ୍ ହେବେ ତେବେ ଦୋଷ କାହାକୁ ଦିଆଯିବ?

୫- ପୁଣେ ପିଚକୁ ସ୍ପିନକୁ ସୁହାଇବା ଭଳି ପ୍ରସ୍ତୁତ କରାଯାଇଥିଲା । ଯଦିଓ ଭାରତୀୟ ସ୍ପିନର କମାଲ ଦେଖାଇଥିଲେ, ତେବେ ନ୍ୟୁଜିଲାଣ୍ଡ ସ୍ପିନର ସେମାନଙ୍କ ଠାରୁ ଆଗେଇ ଯାଇଥିଲେ । ଫଳରେ ଭାରତ ଘରୋଇ ମାଟିରେ ନିଜ ଜାଲରେ ନିଜେ ଫସିଯାଇଥିଲା ।

୬- ଅଧିନାୟକ ରୋହିତ ଶର୍ମା ବ୍ୟାଟିଂରେ ଯେତିକ ଫ୍ଲପ୍ ହୋଇଥିଲେ ତାଙ୍କର କ୍ୟାପ୍ଟେନଶିପର ଦୁର୍ବଳତା ତା’ଠୁ ବଳିଯାଇଥିଲା । ରୋହିତ ସର୍ବଦା ଆକ୍ରାମକ ଅଧିନାୟକ ଭାବେ ଜଣାଶୁଣା ଥିବାବେଳେ ପୁଣେ ଟେଷ୍ଟରେ ସେ ଡିଫେନ୍ସିଭ ଅଧିନାୟକ ଭାବେ ସ୍ପଷ୍ଟ ବାରି ହୋଇପଡ଼ୁଥିଲେ ।

୭- ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୭୬ରେ ଦୁଇଟି ୱିକେଟ ହରାଇ ସଂଘର୍ଷ କରୁଥିବା ବେଳେ ରୋହିତ ଆଟାକିଂ ଫିଲ୍ଡିଂ କରିନଥିଲେ । ଫଳରେ ଏହାର ଫାଇଦା ନେଇ ନ୍ୟୁଜିଲାଣ୍ଡ ଏକ ମଜବୁତ ସ୍କୋର କରିପାରିଥିଲା । ଏପରିକି ପୂର୍ବତନ ଭାରତୀୟ ମହାନ୍ କ୍ରିକେଟର ସୁନୀଲ ଗାଭାସ୍କର ମଧ୍ୟ ରୋହିତଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ ।