fbpx

ସରକାର କା ମାଲ୍ ଦରିଆ ମେଁ ଡାଲ: ମହିଳା IAS ଅଧିକାରୀଙ୍କ ଗାଈର ଚିକିତ୍ସା ପାଇଁ ନିୟୋଜିତ ହେଲେ ୭ ଜଣ ଡାକ୍ତର

ନୂଆଦିଲ୍ଲୀ: ଆଜିକାଲି ସରକାରୀ ଅଧିକାରୀମାନେ ସରକାରଙ୍କ ସମ୍ପତିକୁ ନିଜର ବୋଲି ଭାବି ନେଉଛନ୍ତି । ବିଭିନ୍ନ ସମୟରେ ସରକାରୀ କର୍ମଚାରୀ, ଅଧିକାରୀମାନେ ନିଜ ନିଜର କ୍ଷମତାର ଦୂରୁପଯୋଗ କରିଥାନ୍ତି । ତେବେ ନିକଟରେ ଜଣେ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନେଇ ଏପରି ଏକ କାରନାମା ଚର୍ଚ୍ଚାକୁ ଆସିଛି । ଡିଏମଙ୍କ ଗାଈର ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଏଥିପାଇଁ ୭ ଜଣ ଡାକ୍ତରଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଜଣାପଡ଼ିଛି ।

ତେବେ ଉକ୍ତ ମାମଲାର ଏକ ଅର୍ଡର କପି ଭାଇରାଲ ହେବା ପରେ ଏବେ ଉତ୍ତରପ୍ରଦେଶରେ ହଙ୍ଗାମା ଦେଖିବାକୁ ମିଳିଛି । ଫତେହପୁର ଜିଲ୍ଲାର ଡିଏମ ଅପୂର୍ବ ଦୁବେଙ୍କ ରୋଗଗ୍ରସ୍ତ ଗାଈର ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସକ (ସିଭିଓ) ଡା. ଏସକେ ତିୱାରୀ ୭ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିଲେ । ସମସ୍ତ ଡାକ୍ତରମାନେ ସକାଳ ଓ ସନ୍ଧ୍ୟାରେ ମହିଳା ଆଇଏଏସ୍ ଅଧିକାରୀଙ୍କ ଗାଈର ଚିକିତ୍ସା ପାଇଁ ନିୟୋଜିତ ଥିଲେ ।

ସିଭିଓଙ୍କ ଅର୍ଡର ଲେଟର ଭାଇରାଲ ହେବା ପରେ ୟୁଜର୍ସ ଫେସବୁକ, ଟ୍ୱିଟର, ଇନଷ୍ଟାଗ୍ରାମରେ ସରକାରୀ ସାମଗ୍ରୀର ଦୁରୂପଯୋଗ କରାଯାଉଥିବା ନେଇ କମେଣ୍ଟ କରିଛନ୍ତି । ତେବେ ଡିଏମ୍ ଅପୂର୍ବା କହିଛନ୍ତି, ସିଭିଓ ଏବଂ ଡେପୁଟି ସିଭିଓଙ୍କୁ କାର୍ଯ୍ୟରୁ ନିଲମ୍ବନ ପାଇଁ ପତ୍ର ଲେଖାଯାଇଛି । ମୁଁ କିମ୍ବା ମୋର ପରିବାରର କେହି ଗାଈ ପାଳନ କରୁନାହାନ୍ତି । ତେବେ ଡିଏମଙ୍କ ପାଖରେ ବର୍ତ୍ତମାନ ୩ଟି ଗାଈ ରହିଥିବା ବେଳେ ସେ ଏହାକୁ ଅଗ୍ରାହ୍ୟ କରିଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.