ଦିବ୍ୟାଙ୍ଗ ଭାଇଙ୍କୁ ରଡରେ ପିଟିଲେ, ସିଗାରେଟ ଚେଙ୍କ ଦେଲେ, ତା ପରେ…

ମାନସିକ ବିକଳାଙ୍ଗ ପିଲାଙ୍କୁ ଯୌନ ନିର୍ଯାତନା

ଉତ୍ତରାଖଣ୍ଡ: ସବୁ ବାପା ମାଆ ଚାହିଁଥାନ୍ତି ତାଙ୍କ ପିଲା ଭଲ ସ୍କୁଲ ଯାଇ ପାଠ ପଢୁ ଏବଂ ଭବିଷ୍ୟତ ଗଢୁ। ସେଥିପାଇଁ କେତେ ବାପା ମାଆ ପିଲାଙ୍କୁ ବୋର୍ଡିଂ ସ୍କୁଲକୁ ପଠାଇଥାନ୍ତି।

କିନ୍ତୁ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭରସାରେ ସେମାନେ ପିଲାଙ୍କୁ ସେଠାକୁ ଛାଡ଼ିଥାନ୍ତି ସେହି ଶିକ୍ଷକ ଶିକ୍ଷୟିତ୍ରୀ ଯଦି ଛୁଆଙ୍କ ଉପରେ ମାନସିକ ଏବଂ ଶାରୀରିକ ଅତ୍ୟାଚାର କରନ୍ତି ତେବେ ସେଠାରେ ସେମାନେ କାହା ଭରସାରେ ପିଲାଙ୍କୁ ଛାଡ଼ିବେ? ସେହିପରି ଏକ ଘଟଣା ଘଟିଛି ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ।

ଏପ୍ରିଲ ମାସରେ ମୁରାଦାବାଦ ସହରର ଜଣେ ମହିଳା, ତାଙ୍କର ୧୩ ଏବଂ ୯ ବର୍ଷ ବୟସର ଦୁଇଟି ପୁଅଙ୍କୁ ଡେରାଡୁନର ପଟେଲ ନଗର ଅଞ୍ଚଳର ଏକ ବୋର୍ଡିଂ ସ୍କୁଲରେ ଭର୍ତ୍ତି କରାଇଥିଲେ। ଦୁହେଁ ମାନସିକ ବିକଳାଙ୍ଗ।

ତାଙ୍କୁ ସେଠାରେ କୁହାଯାଇଥିଲା ଯେ, ପିଲାମାନଙ୍କ ଜୀବନଶୈଳୀ, ପାଠପଢ଼ାର ଫଟୋ ଏବଂ ଭିଡିଓ ପ୍ରତିଦିନ ତାଙ୍କୁ ପଠାଯିବ, କିନ୍ତୁ ସ୍କୁଲ ପରିଚାଳନା ପିଲାମାନଙ୍କର କେବଳ ଦୁଇ କିମ୍ବା ଚାରୋଟି ଭିଡିଓ ଏବଂ ଫଟୋ ପଠାଇଥିଲା। ତା’ପରେ ତାଙ୍କ ସହ ଯୋଗାଯୋଗ କରିବା ମଧ୍ୟ ବନ୍ଦ କରିଦେଇଥିଲେ।

ମେ ମାସର ମଝିରେ ଯେତେବେଳେ ମହିଳା ଜଣଙ୍କ ପିଲାମାନଙ୍କୁ ଭେଟିବା ପାଇଁ ସ୍କୁଲରେ ପହଞ୍ଚିଲେ, ତାଙ୍କୁ ସେମାନଙ୍କ ସହିତ ଭେଟିବାକୁ ଅନୁମତି ଦିଆଗଲା ନାହିଁ। ତା ପରେ ସେ ସେଠାରୁ ଫେରିଗଲେ। କିଛି ଦିନ ପରେ ମହିଳା ଜଣକ ପୁଣି ଥରେ ସ୍କୁଲକୁ ଯାଇ ପିଲାମାନଙ୍କୁ ଭେଟିବାକୁ ଜିଦ୍ ଧରିଥିଲେ। ତା’ପରେ ତାଙ୍କୁ ଭେଟିବାକୁ ଅନୁମତି ଦିଆଗଲା।

ମହିଳା ଜଣକ ଯେତେବେଳେ ପିଲାମାନଙ୍କ ସହିତ ଏକୁଟିଆ କଥା ହେଲେ ସେତେବେଳେ ପିଲାମାନେ ତାଙ୍କୁ ଦେଖି କାନ୍ଦିବାକୁ ଲାଗିଲେ ଏବଂ କହିଲେ, ଶିକ୍ଷକ ମୋନୁ ପାଲ ସେମାନଙ୍କୁ ଲୁହା ରଡରେ ପିଟୁଛନ୍ତି, ପେଟକୁ ଗୋଇଠା ମାରୁଛନ୍ତି, ସିଗାରେଟ୍ ଚେଙ୍କ ସହ ଯୌନ ନିର୍ଯାତନା ଦେଉଛନ୍ତି।

ଯେତେବେଳେ ମହିଳା ଜଣକ ପିଲାମାନଙ୍କଠାରୁ ଏହି କଥା ଶୁଣିଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସ୍କୁଲ ପରିଚାଳନାକୁ ପଚାରିଲେ, କିନ୍ତୁ ତାଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ମିଳିଲା ନାହିଁ। ତା’ପରେ ମହିଳା ଜଣକ ପଟେଲ ନଗର ଥାନାରେ ଅଭିଯୋଗ କରିଥିଲେ।

ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ଘଟଣାଟି ଘଟିଥିବା ବୋର୍ଡିଂ ସ୍କୁଲଟି ମାତ୍ର ଚାରି ମାସ ପୂର୍ବରୁ ଖୋଲାଯାଇଥିଲା। ପୋଲିସ ଏହି ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରିବା ସହ ସ୍କୁଲର କାଗଜପତ୍ର ଯାଞ୍ଚ କରୁଛି। ଅଭିଯୁକ୍ତ ଶିକ୍ଷକ ମୋନୁପାଲଙ୍କୁ ପୋଲିସ ଗିରଫ କରିଛି ଏବଂ ତାଙ୍କ ବିରୁଦ୍ଧରେ POCSO ଆଇନ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି।