(Video) ରୋହିତଙ୍କୁ ‘ମୋଟା’ କହୁଥିବା ଶାମା ମହମ୍ମଦ, ଏବେ କରୁଛନ୍ତି ହିଟ୍‌ମ୍ୟାନଙ୍କର ପ୍ରଶଂସା

ହିଟ୍ ମ୍ୟାନଙ୍କ ପାଇଁ ବଦଳିଗଲା କଂଗ୍ରେସ ପ୍ରବକ୍ତାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଟିମ ଇଣ୍ଡିଆ ଫାଇନାଲରେ ପହଞ୍ଚିସାରିଛି। ରୋହିତ ଶର୍ମାଙ୍କୁ ‘ମୋଟା’ କହୁଥିବା କଂଗ୍ରେସ ପ୍ରବକ୍ତା ଶାମା ମହମ୍ମଦ ମଧ୍ୟ ଟିମ ଇଣ୍ଡିଆକୁ ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ମୁଁ ଫାଇନାଲ ମ୍ୟାଚକୁ ନେଇ ଖୁବ ଉତ୍ସାହିତ ଅଛି।

ହିଟ୍‌ମ୍ୟାନଙ୍କର କଲେ ପ୍ରଶଂସା: ନ୍ୟୁଜ ଏଜେନ୍ସି ଏଏନଆଇ ସହ କଂଗ୍ରେସ ପ୍ରବକ୍ତା ଶାମା ମହମ୍ମଦ କହିଛନ୍ତି, “ମୋତେ ବହୁତ ଖୁସି ଲାଗୁଛି ଯେ, ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆର ବିପକ୍ଷ ସେମିଫାଇନାଲ ମ୍ୟାଚ ଜିତିଛି।

ବିରାଟ କୋହଲିଙ୍କୁ ୮୪ ରନ କରିବା ପାଇଁ ଅଭିନନ୍ଦନ ଜଣାଉଛି। ମୁଁ ଫାଇନାଲ ମ୍ୟାଚ ଦେଖିବାକୁ ଖୁବ୍ ଉତ୍ସାହିତ ଅଛି।”

ରୋହିତଙ୍କୁ କହିଥିଲେ ‘ମୋଟା’: ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ବିଷୟରେ X ରେ ପୋଷ୍ଟ କରି ଶାମା ମହମ୍ମଦ କହିଥିଲେ ଯେ, ଜଣେ ଖେଳାଳି ଭାବେ ସେ ଅଧିକ ଓଜନିଆ ଏବଂ ତାଙ୍କୁ ଓଜନ ହ୍ରାସ କରିବା ଆବଶ୍ୟକ। ସେ ହେଉଛନ୍ତି ଭାରତର ସବୁଠାରୁ unimpressive କ୍ୟାପ୍ଟେନ।

ଦ୍ୱିତୀୟ ପୋଷ୍ଟରେ ଶାମା ରୋହିତ ଶର୍ମାଙ୍କୁ ଗାଙ୍ଗୁଲି, ତେନ୍ଦୁଲକର, ଦ୍ରାବିଡ, ଧୋନି, କୋହଲି, କପିଲ ଦେବ, ଶାସ୍ତ୍ରୀଙ୍କ ସହ ତୁଳନା କରିଥିଲେ ଏବଂ ତାଙ୍କ ବିଷୟରେ କ’ଣ ବିଶେଷ ଅଛି ବୋଲି କହିଥିଲେ।

ସେ ଜଣେ ସାମାନ୍ୟ ଅଧିନାୟକ ତଥା ଜଣେ ସାଧାରଣ ଖେଳାଳି, ଯିଏକି ଭାରତର ଅଧିନାୟକ ହେବାର ସୌଭାଗ୍ୟ ପାଇଛନ୍ତି। ତେବେ ଏନେଇ ବିବାଦ ବଢିବା ପରେ ସେ ତାଙ୍କର ଉଭୟ ପୋଷ୍ଟ ଡିଲିଟ କରିଥିଲେ।