ସାପର ସମାଧି ଉପରେ ଶିବଲିଙ୍ଗ, ପ୍ରତିଦିନ ରାତିରେ ଜୁଆ ଖେଳିବାକୁ ଆସନ୍ତି ଶିବ ପାର୍ବତୀ, ସକାଳୁ ମିଳେ ପ୍ରମାଣ

ସାପର ସମାଧି ଉପରେ ତିଆରି କରାଯାଇଛି ଶିବଲିଙ୍ଗ, ପ୍ରତିଦିନ ରାତ୍ର ଆରତୀ ପରେ ପ୍ରଭୁ ଶିବ ଏବଂ ମାତା ପାର୍ବତୀ ଆସନ୍ତି ଜୁଆ ଖେଳିବାକୁ

ମଧ୍ୟପ୍ରଦେଶ: ସାପର ସମାଧି ଉପରେ ଶିବଲିଙ୍ଗ। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା? ଆଜ୍ଞା ହଁ, ଏପରି ଏକ ଆଶ୍ଚର୍ଯ୍ୟକର ମନ୍ଦିର ରହିଛି ମଧ୍ୟପ୍ରଦେଶର ଖରଗୋନରେ, ଯାହାର ନାଁ ଶ୍ରୀ ସିଦ୍ଧନାଥ ମହାଦେବ ମନ୍ଦିର। ଏହା ପ୍ରାୟ 375 ବର୍ଷ ପୁରୁଣା ମନ୍ଦିର। ଏଠାରେ ଘଟୁଥିବା ଅଦ୍ଭୁତ ଘଟଣା, ଏହି ମନ୍ଦିର ପ୍ରତିଷ୍ଠାର କାହାଣୀ ଅପେକ୍ଷା ଅଧିକ ପ୍ରସିଦ୍ଧ।

କୁହାଯାଏ, ଶିବ-ପାର୍ବତୀ ପ୍ରତିଦିନ ଏହି ମନ୍ଦିରକୁ ପଶା ଖେଳିବାକୁ ଆସନ୍ତି। ତେଣୁ ରାତିରେ ଶୋଇବା ସମୟରେ ଏଠାରେ ପଶାପାଲି ବିଛାଯାଏ।

ଏହି ମନ୍ଦିର ପ୍ରତିଷ୍ଠା ସହିତ ଜଡିତ ଅନେକ ଆକର୍ଷଣୀୟ କାହାଣୀ ରହିଛି ଯାହା ଏହି ମନ୍ଦିରକୁ ଅନ୍ୟ ମନ୍ଦିରଠାରୁ ସ୍ୱତନ୍ତ୍ର କରିଥାଏ। ମନ୍ଦିରର ପୂଜକ ହରିଶ ଗୋସ୍ୱାମୀ କୁହନ୍ତି, ଏହି ମନ୍ଦିର 1651 ମସିହାରେ ମଲ୍ଲିୱାଲ ପରିବାର ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଏହି ମନ୍ଦିରରେ ସ୍ଥାପିତ ଶିବଲିଙ୍ଗ ଏକ କବର ଉପରେ ଅବସ୍ଥିତ। ଆଉ ଏ କବର କୌଣସି ମଣିଷର ନୁହେଁ, ବରଂ ଏକ ସାପର।

ଲୋକ ବିଶ୍ୱାସ ଅନୁଯାୟୀ, ମଲ୍ଲିୱାଲ ପରିବାରରେ ଜଣେ ମହିଳା ଚାରୋଟି ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ସାପ ଭାବରେ ଜନ୍ମ ହୋଇଥିଲେ। କିନ୍ତୁ ପରିବାର ତାଙ୍କୁ ନିଜ ପୁଅ ପରି ପାଳନ କରିଥିଲେ। ତାଙ୍କୁ ସମ୍ପତ୍ତିର ଏକ ଅଂଶ ମଧ୍ୟ ଦିଆଯାଇଥିଲା।

ସାପର ନାମ ସିଦ୍ଧୁ ଥିବାରୁ ମୃତ୍ୟୁ ପରେ, ତାଙ୍କ ଅଂଶରେ ଥିବା ଜମିରେ ତାଙ୍କୁ କବର ଦିଆଯାଇଥିଲା। ପରେ, ଏହି କବର ଉପରେ ଏକ ଶିବଲିଙ୍ଗ ସ୍ଥାପନ କରାଯାଇଥିଲା। ସାପର ନାମ ଅନୁସାରେ ମନ୍ଦିରର ନାମ ଶ୍ରୀ ସିଦ୍ଧନାଥ ମହାଦେବ ମନ୍ଦିର ରଖାଯାଇଥିଲା।

ମନ୍ଦିର ପୂଜାରୀଙ୍କ କହିବା ଅନୁସାରେ, ରାତିରେ ଭଗବାନ ଏଠାକୁ ବିଶ୍ରାମ ନେବାକୁ ଆସନ୍ତି। ପ୍ରତିଦିନ ରାତ୍ର ଆରତୀ ପରେ ମାନେ ରାତି 10ରେ ଦ୍ୱାର ବନ୍ଦ ହେବା ପୂର୍ବରୁ ପଶାପାଲି ବିଛାଯାଏ ଏବଂ ସକାଳ 5ରେ ଦ୍ୱାର ଖୋଲାଯାଏ। ଏହି ସମୟରେ, ଗର୍ଭଗୃହର ମୁଖ୍ୟ ଦ୍ୱାର ଏବଂ ମନ୍ଦିରର ସମସ୍ତ ଦ୍ୱାର ବନ୍ଦ କରାଯାଏ।

ରାତିରେ ଏଠାରେ କେହି ରୁହନ୍ତି ନାହିଁ। କିନ୍ତୁ, ଯେତେବେଳେ ସକାଳେ ମନ୍ଦିରର ଦ୍ୱାର ଖୋଲାଯାଏ, ସେତେବେଳେ ପଶାପାଲି ବିଛାଡ଼ି ହୋଇ ପଡିଥିବାର ଦେଖିବାକୁ ମିଳେ। ପୁରୋହିତ ଏବଂ ଭକ୍ତମାନେ ଦାବି କରନ୍ତି ଯେ, ଭଗବାନ ସ୍ୱୟଂ ଏଠାକୁ ଆସି ପଶା ଖେଳିଥାନ୍ତି।

ପୁରୋହିତ ଏହା ମଧ୍ୟ କହିଛନ୍ତି, ଥରେ ସକାଳେ ମନ୍ଦିରର ଦ୍ୱାର ଖୋଲାଯିବା ପରେ ତାଙ୍କ ସ୍ତ୍ରୀ ଗର୍ଭଗୃହରେ ଏକ ବିରାଟ ସାପ ଦେଖିଥିଲେ, ଯାହା ଫଣା ଟେକି ସେହି ସ୍ଥାନରେ ବସିଥିଲା। କିନ୍ତୁ, ତା’ପରେ ସେ ହଠାତ୍ ଅଦୃଶ୍ୟ ହୋଇଗଲା।