fbpx

ଦିଦିଙ୍କୁ ଶକ୍ତ ଝଟକା: ହାଇକୋର୍ଟଙ୍କ ଆଦେଶ, ନିର୍ବାଚନୀ ହିଂସାର ପ୍ରତିଟି ମାମଲାରେ ଏଫଆଇଆର ରୁଜୁ କରାଯାଉ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହାଇକୋର୍ଟରୁ  ଲାଗିଲା ଜୋରଦାର ଝଟକା। କଲିକତା ଉଚ୍ଚତମ ନ୍ୟାୟାଳୟ ଶୁକ୍ରବାର ନିର୍ବାଚନ ପରବର୍ତ୍ତୀ ହିଂସାର ସମସ୍ତ ମାମଲାରେ ଏଫଆଇଆର ରୁଜୁ କରିବାକୁ ଆଦେଶ ଦେଇଛନ୍ତି। ଏହା ବ୍ୟତୀତ ହିଂସାର ସମସ୍ତ ପୀଡିତଙ୍କ ଚିକିତ୍ସା କରାଇବା ଓ ମାଗଣାରେ ରାସନ ଯୋଗାଇ ଦେବାକୁ ଆଦେଶ ଦେଇଛନ୍ତି। ଅଦାଲତ କହିଛନ୍ତି ରାସନ ସେହି ଲୋକଙ୍କୁ ମଧ୍ୟ ଦିଆଯାଉ ଯାହାଙ୍କର କାର୍ଡ ନାହିଁ। ମମତା ସରକାରଙ୍କୁ ଉଚ୍ଚ ନ୍ୟାୟାଳୟର ଏହି ଆଦେଶ ବଡ ଝଟକା ଦେଇଛି। କାରଣ ମମତା ବାନାର୍ଜୀ ନିର୍ବାଚନ ପରେ ଘଟିଥିବା ହିଂସାକୁ ସର୍ବଦା ଖାରଜ କରି ଆସିଛନ୍ତି। ଏସବୁ ପଛରେ ବିଜେପିର ହାତ ଥିବା ସେ କହିଥିଲେ।

କେସ୍ ରୁଜୁ କରିବାକୁ ଆଦେଶ ଦେବା ସହ ଉଚ୍ଚ ନ୍ୟାୟାଳୟ ମାମଲାର ତଦନ୍ତ କରୁଥିବା ମାନବାଧିକାର ଆୟୋଗର ଦଳର କାର‌୍ୟ୍ୟକାଳ ମଧ୍ୟ ବୃଦ୍ଧି କରିଛନ୍ତି। ଏବେ ଜାତୀୟ ମାନବାଧିକାର ଆୟୋଗର ଦଳ ଜୁଲାଇ ୧୩ ପର‌୍ୟ୍ୟନ୍ତ ନିର୍ବାଚନୀ ହିଂସା ମାମଲାର ତଦନ୍ତ କରିବେ। ଏହି ଦିନ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି। ଏହା ବାଦ୍ ନିର୍ବାଚନ ପରବର୍ତ୍ତୀ ହିଂସା ସଂପର୍କିତ ମାମଲାର ସମସ୍ତ ଦସ୍ତାବିଜ ସୁରକ୍ଷିତ ରଖିବାକୁ କୋର୍ଟ ରାଜ୍ୟ ମୁଖ୍ୟ ସଚିବଙ୍କୁ ଆଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ହାଇକୋର୍ଟଙ୍କ ଆଦେଶ କ୍ରମେ ମାନବାଧିକାର ଆୟୋଗର ସଦସ୍ୟ ରାଜୀବ ଜୈନଙ୍କ ନେତୃତ୍ଵରେ ୭ ଜଣିଆ ଟିମ୍ ଗଠନ କରାଯାଇଛି। ଏହି ଦଳ ଗତ ଦିନରେ ଯାଦବପୁର ଗସ୍ତ କରି ପୀଡିତ ପରିବାରଙ୍କୁ ଭେଟିଥିଲେ। ହେଲେ ଏହି ଗସ୍ତ ବେଳେ ଗୁଣ୍ଡାମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ଜୈନ କହିଛନ୍ତି। ମମତା ବାନାର୍ଜୀ ସରକାର ମାନବାଧିକାର ଆୟୋଗର ଦଳ ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲେ। ଏହି ଆବେଦନକୁ ଉଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି।

Get real time updates directly on you device, subscribe now.