fbpx

ରାଜନେତାଙ୍କ ଅବସର ବୟସ ସ୍ଥିର ହେବା ଆବଶ୍ୟକ କି? ଅଜିତ-ଶରଦଙ୍କ ବିବାଦ ପରେ ଉଠିଲା ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଦେଖାଦେଇଥିବା ଦାଦା-ପୁତୁରାଙ୍କ ରାଜନୈତିକ ବିବାଦ ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗତ ୨ ତାରିଖରେ ଅଜିତ ପାୱାରଙ୍କ ସହିତ ଅନ୍ୟ କିଛି ବିଧାୟକ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରୁ ଅଲଗା ହୋଇ ବିଜେପି-ଏକନାଥ ଶିନ୍ଦେଙ୍କ ଶିବସେନା ମେଣ୍ଟରେ ସାମିଲ ହୋଇଥିଲେ । ଏଥିସହିତ ଅଜିତ ମହାରାଷ୍ଟ୍ରର ଡେପୁଟି ସିଏମ୍ ଓ ଅନ୍ୟ ବିଧାୟକମାନେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

ଏହାପରେ ଅଜିତ ଓ ଶରଦ ପାୱାର ଗୋଷ୍ଠୀର ବୈଠକ ବସିଥିଲା । ଅଜିତଙ୍କ ଗୋଷ୍ଠୀରେ ୩୧ ଜଣ ବିଧାୟକ ସାମିଲ ହୋଇଥିବା ବେଳେ ଶରଦଙ୍କ ବୈଠକରେ ୧୩ ଜଣ ସାମିଲ ହୋଇଥିବା ଦେଖାଯାଇଥିଲା । ତେଣୁ ଶରଦଙ୍କୁ ଅଧ୍ୟକ୍ଷ ପଦରୁ ହଟାଇ ଅଜିତ ଏନସିପିର ନୂଆ ଅଧ୍ୟକ୍ଷ ହୋଇଥିଲେ । ଏନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଜିତଙ୍କ ଗୋଷ୍ଠୀ ଦାବି କରିଥିଲେ । ସେହିପରି ସେ ଏବେ ବି ଦଳର ଅଧ୍ୟକ୍ଷ ରହିଥିବା ଶରଦ ଦାବି କରିଥିଲେ ।

ତେବେ ଏହି ବିବାଦ ମଧ୍ୟରେ ଅଜିତ କହିଥିଲେ, ଦାଦା ଶରଦଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ଅଛି । ଶରଦଙ୍କୁ ଏବେ ୮୩ ବର୍ଷ ବୟସ ହୋଇଗଲାଣି । ତେଣୁ ଏବେ ସେ ନୂଆ ପୀଢ଼ିଙ୍କୁ ସୁଯୋଗ ଦେବାର ଆବଶ୍ୟକତା ରହିଛି । ଏନେଇ ଅଜିତ ଏଲ.କେ ଆଡଭାନୀ, ମୁରଲୀ ମନୋହର ଯୋଶୀଙ୍କ ଉଦାହରଣ ଦେଇଥିଲେ । ବିଜେପି ନେତାମାନେ ୭୫ ବର୍ଷ ବୟସରେ ଅବସର ନେଇଯାଉଛନ୍ତି, ଶରଦ କାହିଁକି ନେଉନାହାନ୍ତି? ସେ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଚା ରଖିଥିବା ଅଜିତ କହିଥିଲେ । ଏହାର ଜବାବରେ ପାୱାର କହିଥିଲେ, ମୁଁ ଦଳକୁ ପୁଣି ଥରେ ଆଗକୁ ନେବି । ଯଦି ଜଣେ ମୁଖ୍ୟମନ୍ତ୍ରୀ ହେବାକୁ ଚାହିଁବ ତେବେ ମୋର କିଛି କହିବାର ନାହିଁ । ମାତ୍ର ମୁଁ ଏବେ ବି ଯୋଗ୍ୟ ରହିଛି । ମୋତେ ୮୨ କି ୯୨ ବର୍ଷ ତାହା କିଛି ସମସ୍ୟା ସୃଷ୍ଟି କରିବ ନାହିଁ ।

ତେବେ ଏହି ବିବାଦ ପ୍ରସଙ୍ଗକୁ ନେଇ ଏକ ବଡ଼ ପ୍ରଶ୍ନ ସାମ୍ନାକୁ ଆସୁଛି । ସରକାରୀ ଓ ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କ ଅବସର ନେଇ ବୟସ ସୀମା ରହିଛି । ତେଣୁ ଦେଶରେ ରାଜନେତାଙ୍କ ଅବସର ନେଇ ଏକ ବୟସସୀମା ରହିବା ଉଚିତ କି? ଭାରତର ମୋଟ ଜନସଂଖ୍ୟା ମଧ୍ୟରୁ ଅଧା ଲୋକଙ୍କର ବୟସ ୨୮ ବର୍ଷ ଭିତରେ ରହିଛି । ତେଣୁ ଭାରତ ବିଶ୍ୱର ସବୁଠାରୁ ଯୁବ ଦେଶ । ଦେଶର ୨୩୯ ଜଣ ସାଂସଦ ବୟସ ୬୦ରୁ ୮୦ ବର୍ଷ ମଧ୍ୟରେ ରହିଛି । ୧୦ ଜଣ ସାଂସଦଙ୍କ ବୟସ ୮୦-୯୦ ବର୍ଷ ରହିଛି । ଜଣେ ସାଂସଦଙ୍କ ବୟସ ୯୩ ବର୍ଷ ବୟସ ରହିଛି ।

ଭାରତରେ ସରକାରୀ କର୍ମଚାରୀମାନେ ୬୦ ବର୍ଷ ବୟସରେ ଅବସର ଗ୍ରହଣ କରିଥାନ୍ତି । ସେହିପରି ଘରୋଇ ସେକ୍ଟରରେ କାର୍ଯ୍ୟରତ କର୍ମଚାରୀମାନେ ୬୫ ବର୍ଷରେ ଅବସର ନେଇଥାନ୍ତି । ବ୍ୟବସାୟ କରୁଥିବା ଲୋକମାନେ ମଧ୍ୟ ୬୦ ବର୍ଷ ହୋଇଗଲେ ଧୀରେଧୀରେ ବ୍ୟବସାୟରୁ ନିଜକୁ ଦୂରେଇ ଦେଇଥାନ୍ତି । ଏହାପରେ ସେମାନଙ୍କର ଉତ୍ତରାଧିକାରୀ ବ୍ୟବସାୟ ସମ୍ଭାଳିଥାନ୍ତି । ଗରିବ-ଧନୀ, ଛୋଟ ବ୍ୟବସାୟ-ବଡ଼ ବ୍ୟବସାୟ କ୍ଷେତ୍ରରେ ଏଭଳି ଦେଖାଯାଇଥାଏ । ଦର୍ଶକଙ୍କ ଚାହିଦା ରହିଥିବା ଯାଏ କଳାକାର ଶ୍ରେଣୀର ଲୋକମାନେ କାର୍ଯ୍ୟ ଜାରି ରଖିଥାନ୍ତି ।

Get real time updates directly on you device, subscribe now.