fbpx

ODI WC-2023; ଫେଲ ମାରୁଛନ୍ତି ଶୁଭମନ ଗିଲ: ଦିନିକିଆ ବିଶ୍ୱକପରେ ରୋହିତଙ୍କ ସହ କିଏ କରିବେ ଓପନିଙ୍ଗ?

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜର ଦୁଇଟି ମ୍ୟାଚ ଶେଷ ହୋଇଛି । ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ସିରିଜ ବରାବର କରିଛି ୱେଷ୍ଟଇଣ୍ଡିଜ । ତେବେ ଏହି ଉଭୟ ମ୍ୟାଚରେ ଟିମ ଇଣ୍ଡିଆର ଷ୍ଟାର ଓପନର ଶୁଭମନ ଗିଲ ନିରାଶ କରିଛନ୍ତି । ବିଶ୍ୱକପ ପାଇଁ ଗିଲ୍ ଅଧିନାୟକ ରୋହିତଙ୍କ ସହ ପାଳି ଆରମ୍ଭ କରିବାର ପ୍ରଥମ ଦାବିଦାର ହୋଇଥିବା ବେଳେ ତାଙ୍କର ପ୍ରଦର୍ଶନକୁ ନେଇ ଏବେ ପ୍ରଶ୍ନବାଚୀ ଉଠିଛି । ସେପଟେ ଯଶସ୍ୱୀ ଜଏସ୍ୱାଲଙ୍କ ଅଭିଜ୍ଞତା ତାଙ୍କୁ ବିଶ୍ୱକପରେ ସାମିଲ କରାଇ ନ ପାରେ । ତେଣୁ ଏହି ସମୟରେ ରୋହିତଙ୍କ ପାଇଁ ଉପଯୁକ୍ତ ସାଥୀ ପାଇଁ ଚିନ୍ତାରେ ପଡ଼ି ଯାଇଛି ବିସିସିଆଇ ।
ବିଶ୍ୱକପରେ ଓପନିଙ୍ଗ ପାଇଁ ଭାରତୀୟ ଦଳରେ ଅନେକ ବିକଳ୍ପ
ଶୁଭମନ ଗିଲ: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ଫେଲ ହୋଇଥିଲେ ମଧ୍ୟ ଶୁଭମନ ଗିଲ ବିଶ୍ୱକପରେ ରୋହିତଙ୍କ ସହ ଓପନିଙ୍ଗ କରିପାରନ୍ତି । ସେ ଲାଗାତାର କିଛି ସିରିଜରୁ ଟିମ ଇଣ୍ଡିଆ ପାଇଁ ଦମଦାର ପ୍ରଦର୍ଶନ କରିଆସିଛନ୍ତି । ଯଦିଓ ଏହି ସିରିଜ ତାଙ୍କ ପାଇଁ ବିଶେଷ ଭଲ ନାହିଁ, ଏହା ପରେ ମଧ୍ୟ ରୋହିତ ତାଙ୍କୁ ସୁଯୋଗ ଦେଇପାରନ୍ତି ।
କେ.ଏଲ ରାହୁଲ: ଗିଲଙ୍କ ବ୍ୟତୀତ କେ.ଏଲ ରାହୁଲ ମଧ୍ୟ ଓପନିଙ୍ଗ ପାଇଁ ଜଣେ ଭଲ ବିକଳ୍ପ ହୋଇପାରନ୍ତି । ତେବେ ସେ ବର୍ତ୍ତମାନ ଆହତ ସମସ୍ୟା ଦେଇ ଗତି କରୁଥିବା ବେଳେ ତାଙ୍କ ଫିଟନେସ ନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ । କିନ୍ତୁ ବର୍ତ୍ତମାନ ସେ ଅଭ୍ୟାସ ଆରମ୍ଭ କରୁଥିବା କିଛି ଦିନ ତଳେ ଦେଖିବାକୁ ମିଳିଥିଲା । ତେବେ ବିଶ୍ୱକପରେ ତାଙ୍କ ସ୍ଥାନକୁ ନେଇ ସାମାନ୍ୟ ଦ୍ୱନ୍ଦ୍ୱ ରହିଛି ।
ଇଶାନ କିଶାନ: ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ଡେବ୍ୟୁ କରି ଅର୍ଦ୍ଧଶତକ ହାସଲ କରିଥିବା ଇଶାନ କିଶାନ ଦିନିକିଆରେ ମଧ୍ୟ ଛାପ ଛାଡ଼ିଛନ୍ତି । ଉଭୟ ମ୍ୟାଚରେ ଦୁଇଟି ଅର୍ଦ୍ଧଶତକ ହାସଲ କରି ସେ ଭାରତୀୟ ଦଳକୁ ଜବରଦସ୍ତ ଷ୍ଟାର୍ଟ ଦେବାରେ ସଫଳ ହୋଇଛନ୍ତି । ତେଣୁ ଇଶାନ କିଶାନ ରୋହିତଙ୍କ ସହ ଓପନିଙ୍ଗ କରିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆ ଯାଇ ନପାରେ । ଏହାବ୍ୟତୀତ ରାହୁଲଙ୍କ ଅନୁପସ୍ଥିତି ମଧ୍ୟ ଇଶାନ କିଶାନଙ୍କୁ ୱିକେଟ କିପର ଦାୟିତ୍ୱ ପ୍ରଦାନ କରିବ ।
ଶିଖର ଧୱନ: ତେବେ ଶୁଭମନ ଗିଲଙ୍କ ସବୁଠୁ ଭଲ ବିକଳ୍ପ ହେଉଛନ୍ତି ଭାରତୀୟ ଦଳର ଗବର ସିଂହ ଅର୍ଥାତ୍ ଶିଖର ଧୱନ । ଆଇପିଏଲରେ ଦମଦାର ବ୍ୟାଟିଂ କରି ଟିମ ଇଣ୍ଡିଆକୁ ଫେରିବାର ରାସ୍ତା ଖୋଲି ଦେଇଛନ୍ତି ଶିଖର । ତେବେ ବିଶ୍ୱକପ ପୂର୍ବରୁ କୌଣସି ଦିନିକିଆ ସରିଜରେ ତାଙ୍କୁ ବିସିସିଆଇ ସୁଯୋଗ ଦେଇନାହିଁ । ଏସିଆନ ଗେମ୍ସରେ ତାଙ୍କୁ ମଧ୍ୟ ଚୟନ କରାଯାଇ ନାହିଁ । ତେଣୁ ଆଶା କରାଯାଉଛି ସିଧା ଦିନିକିଆ ବିଶ୍ୱକପରେ ଶିଖର ଧୱନଙ୍କୁ ଏଣ୍ଟ୍ରି ମିଳିପାରେ । ଶିଖର ଧୱନଙ୍କ ଅଭିଜ୍ଞତା ଏବଂ ରୋହିତଙ୍କ ସହ ଯୋଡ଼ି ଭାରତ ପାଇଁ ପୂର୍ବରୁ ଅନେକ ସଫଳତା ଦେଇଛି । ତେଣୁ ବିଶ୍ୱକପରେ ଶିଖର ଧୱନଙ୍କୁ ବ୍ୟାକ୍ ଅପ୍ ଓପନର ଭାବରେ ସୁଯୋଗ ଦେଇପାରେ ଟିମ ଇଣ୍ଡିଆ ।

Get real time updates directly on you device, subscribe now.