fbpx

ରାମମନ୍ଦିର ଲାଗି ଦମ୍ପତି ତିଆରି କଲେ ବିଶ୍ୱର ସବୁଠାରୁ ବୃହତ ତାଲା, ଓଜନ ୪୦୦ କିଲୋ ଓ ଚାବିର ଓଜନ ୩୦ କିଲୋ

ଅଲିଗଡ:ତାଲା ତିଆରି ଲାଗି ଅଲିଗଡ କେବଳ ଦେଶ ଭିତରେ ନୁହେଁ ସାରା ବିଶ୍ୱରେ ମଧ୍ୟ ପ୍ରସିଦ୍ଧି ଅର୍ଜନ କରିଛି । ଏହି ପରିଚୟକୁ ବଜାୟ ରଖିବା ଲାଗି ଅଲିଗଡର ଏକ ବୟସ୍କ ଦମ୍ପତି ବର୍ଷ ବର୍ଷ ଧରି ସେମାନଙ୍କ ପ୍ରୟାସ ଜାରି ରଖିଛନ୍ତି । ଏହି ଦମ୍ପତି ପୂର୍ବରୁ ୩୦୦କିଲୋ ଓଜନର ତାଲା ତିଆରି କରିଥିଲେ ଆଉ ଏବେ ଏହାଠାରୁ ବଡ ୪୦୦ କିଲୋର ତାଲା ତିଆରି କରିଛନ୍ତି । ଏହି ବୃହତ ତାଲାର ଚାବିର ଓଜନ ହେଉଛି ୩୦ କିଲୋ । ଏହାକୁ ଦୁନିଆର ସବୁଠାରୁ ବୃହତ୍ ତାଲା କୁହାଯାଉଛି । ତେବେ ଏହି ତାଲାକୁ ତିଆରି କରିବାକୁ ଏହି ଦମ୍ପତି ପ୍ରାୟ ଦେଢ ଲକ୍ଷ ପାଖାପାଖି ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥିପାଇଁ ସେମାନଙ୍କୁ ପୁରାପୁରି ୬ ମାସ ସମୟ ଲାଗିଛି । ଏହି ବୃହତ ତାଲାକୁ ଏମାନେ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରକୁ ଅର୍ପଣ କରିବେ ।

ଏହି ଦମ୍ପତି ହେଉଛନ୍ତି ସତ୍ୟପ୍ରକାଶ ଶର୍ମା ଓ ତାଙ୍କ ପତ୍ନୀ ରୁକ୍ମିଣୀ ଦେବୀ ଶର୍ମା । ରୁକ୍ମିଣୀ କହିଛନ୍ତି ଆମର ଇଚ୍ଛା ଥିଲା ଆମେ ରାମ ମନ୍ଦିର ଲାଗି ତାଲା ତିଆରି କରିବୁ । ଏହି କାରଣରୁ ଆମେ ୪୦୦ କିଲୋର ଏହି ତାଲା ତିଆରି କରିଛୁ । ସେ କହିଛନ୍ତି ତାଙ୍କ ସ୍ୱାମୀ ଜଣେ ହୃଦରୋଗୀ । ଏହି କାରଣରୁ ତାଲା ତିଆରି କରିବା ଲାଗି ଏତେ ସମୟ ଲାଗି ଯାଇଛି । ଚଳିତ ବର୍ଷ ଆମେ ଏହି ତାଲାକୁ ରାମ ମନ୍ଦିରକୁ ପ୍ରଦାନ କରିବୁ ବୋଲି ସେ କହିଛନ୍ତି । ଏହି ବିରାଟ ତାଲାକୁ ଦେଖିବାକୁ ଏବେ ଆମ ଘରକୁ ବହୁ ଲୋକ ଆସୁଛନ୍ତି ଓ ତାଲା ସହିତ ଆମର ଫଟୋ ଓ ଭିଡିଓ ନେଉଛନ୍ତି ।
ତାଲା କାରିଗର ସତ୍ୟ ପ୍ରକାଶ କହିଛନ୍ତି ଆମେ ପତି ପତ୍ନୀ ମିଶି ଏହି ତାଲା ତିଆରି କରିଛୁ । ଆମେ ନିଜ ସାମର୍ଥ୍ୟ ମୁତାବକ ପଇସା ଖର୍ଚ୍ଚ କରି ଏହାକୁ ତିଆରି କରିଛୁ । ଏହି ୪ କ୍ୱିଣ୍ଟାଲ ତାଲାର ଲମ୍ବ ୧୦ ଫୁଟ , ଚଉଡା ୪.୫ ଫୁଟ ଏବଂ ଏହାର ମୋଟେଇ ୯.୫ ଇଞ୍ଚ ।

Get real time updates directly on you device, subscribe now.