(Video) ‘ମୋ ସୁଶାନ୍ତ କୁଆଡେ ବି ଯାଇନି…’ ଶ୍ରାଦ୍ଧ ବାର୍ଷିକୀରେ ମନେ ପଡୁଛନ୍ତି ସୁଶାନ୍ତ ସିଂ ରାଜପୁତ

ମୁମ୍ବାଇ: ବଲିଉଡର ଜଣେ ଆଗଧାଡିର ନାୟକ ସୁଶାନ୍ତ ସିଂହ ରାଜପୁତଙ୍କର ଆଜି ତୃତୀୟ ଶ୍ରାଦ୍ଧ ବାର୍ଷିକୀ । ଟେଲିଭିଜନ ଦୁନିଆରୁ ସିନେମା ପର୍ଯ୍ୟନ୍ତ ସବୁଠି ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି ସୁଶାନ୍ତ । ‘ପବିତ୍ର ରିସ୍ତା’ରେ ‘ମାନବ’ ହେଉ କି ‘ଏମ.ଏସ ଧୋନୀ-ଦ ଅନଟୋଲ୍ଡ ଷ୍ଟୋରୀ’ରେ ଧୋନୀଙ୍କ ଚରିତ୍ର, ସୁଶାନ୍ତ ସବୁଠି ନିଖୁଣ ଅଭିନୟରେ ଦର୍ଶକଙ୍କ ମନକୁ ଛୁଇଁ ପାରିଛନ୍ତି । କିନ୍ତୁ ବ୍ୟକ୍ତିଗତ ସମସ୍ୟା ଯୋଗୁଁ ସେ ୨୦୨୦ ମସିହା ଜୁନ ୧୪ ତାରିଖରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ଆଜି ତାଙ୍କର ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଝୁରୁଛନ୍ତି ପରିବାର ଲୋକଏବଂ ତାଙ୍କର ପ୍ରଶଂସକ ।

ସୁଶାନ୍ତ ସିଂହ ରାଜପୁତଙ୍କ ଶ୍ରାଦ୍ଧବାର୍ଷିକୀରେ ଭଉଣୀ କିର୍ତ୍ତୀ ଏକ ଇମୋସନାଲ ଭିଡିଓ ପୋଷ୍ଟ କରି ତାଙ୍କୁ ମନେ ପକାଇଛନ୍ତି । ତାଙ୍କର ଏହି ଭିଡିଓ ଅନେକ ଲୋକ ଖୁବ ପସନ୍ଦ କରିଥିବା ବେଳେ ଖୁବ ଇମୋସନାଲ ହୋଇଛନ୍ତି ସୁଶାନ୍ତଙ୍କ ପ୍ରଶଂସକ । ଇନଷ୍ଟାଗ୍ରାମରେ କିର୍ତ୍ତୀ ଅପଲୋଡ କରିଥିବା ଏହି ଭିଡିଓରେ ଫ୍ୟାନ୍ସମାନଙ୍କୁ ଅପିଲ କରି କହିଛନ୍ତି ଯେ, ସୁଶାନ୍ତ ମରିନାହାନ୍ତି, ସେ କୁଆଡେ ବି ଯାଇ ନାହାନ୍ତି, ବରଂ ସେ ଆମମାନଙ୍କ ଭିତରେ ବଞ୍ଚି ରହିଛନ୍ତି । ସେ କହିଛନ୍ତି ଯେ, ଯଦି ଆମକୁ ସୁଶାନ୍ତଙ୍କୁ ଜୀବିତ ରଖିବାକୁ ଚାହୁଁଛନ୍ତି, ତେବେ ଆମକୁ ତାଙ୍କର ଗୁଣ, ସଚ୍ଚୋଟତା ଏବଂ ନିର୍ମଳ ହୃଦୟକୁ ଆଣେଇବା ଉଚିତ । କିର୍ତ୍ତୀଙ୍କର ଏହି ଭିଡିଓ ସୁଶାନ୍ତଙ୍କ ଫ୍ୟାନ୍ସମାନଙ୍କୁ ଭାବୁକ କରି ଦେଇଛି ।

ତାଙ୍କ ବ୍ୟତୀତ ସୁଶାନ୍ତଙ୍କ ବନ୍ଧୁ ରିୟା ଚକ୍ରବର୍ତ୍ତୀ ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ତେବେ ଏହି ଭିଡିଓରେ ସୁଶାନ୍ତଙ୍କ ପ୍ରଶଂସକମାନେ ତାଙ୍କୁ ଖୁବ ଗାଳି କରିବା ସହ ସମାଲୋଚନା କରିଥିବା ଦେଖାଦେଇଛି । ୩ ବର୍ଷ ତଳେ ସୁଶାନ୍ତ ଆଜିର ଦିନରେ ପ୍ରାଣ ହରାଇଥିଲେ । ତେବେ ଏହି ମାମଲାକୁ ପୋଲିସ ଆତ୍ମହତ୍ୟା ବୋଲି କହିଥିବା ବେଳେ ରିୟାଙ୍କୁ ପରିବାର ଲୋକ ଦୋଷୀ ବୋଲି ଅଭିଯୋଗ କରିଥିଲେ । ତେବେ ଏହି ଘଟଣାକୁ ନେଇ ଏବେ ପର୍ଯ୍ୟନ୍ତ ତଦନ୍ତ ଜାରି ରହିଛି ।