୩ ମାସ ପୂର୍ବରୁ ମିଳିଥିଲା ଦୁର୍ଘଟଣାର ସଙ୍କେତ! ସାମ୍ନାକୁ ଆସିଲା ରେଳ ଅଧିକାରୀଙ୍କ ଚିଠି, କାର୍ଯ୍ୟାନୁଷ୍ଠାନ କାହିଁକି ନିଆଗଲାନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ରେଳ ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିବା ସହିତ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଓଡ଼ିଶା ସରକାରଙ୍କ ତରଫରୁ ରିପୋର୍ଟ ଦିଆଯାଇଛି । ବର୍ତ୍ତମାନ ବିଭିନ୍ନ ରାଜ୍ୟରୁ ସମ୍ପର୍କୀୟମାନେ ଆସି ମୃତଦେହକୁ ଚିହ୍ନଟ କରୁଛନ୍ତି । ଏହି ଚିହ୍ନଟ ପ୍ରକ୍ରିୟାକୁ ସହଜ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ୩ଟି ୱେବସାଇଟରେ ମୃତକଙ୍କ ଫଟୋ ଓ ତଥ୍ୟ ଜାରି କରାଯାଇଛି ।

ତେବେ ଏତେବଡ଼ ଦୁର୍ଘଟଣାକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହେବା ସହ କାହିଁକି ଏପରି ଘଟିଲା ସେନେଇ ଉଠିଛି ଏକାଧିକ ପ୍ରଶ୍ନ । ଏହି ଦୁର୍ଘଟଣାର ତଦନ୍ତ ସିବିଆଇ କରିବ ବୋଲି ରେଳ ବିଭାଗ ପକ୍ଷରୁ ସୁପାରିଶ କରାଯାଇଛି । ରିପୋର୍ଟ ଆସିବା ପରେ ଏହି ଦୁର୍ଘଟଣା ପଛର ସବୁ ରହସ୍ୟ ପଦାକୁ ଆସିବ । ତେବେ ଏହା ମଧ୍ୟରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଏହି ଦୁର୍ଘଟଣା ଘଟିବା ପୂର୍ବରୁ ଦୁର୍ଘଟଣାର କିଛି ସଙ୍କେତ ମିଳିଥିଲା ।

ଏହା ମଧ୍ୟରେ ଉତ୍ତରପ୍ରଦେଶର ଜଣେ ରେଳ ଅଧିକାରୀଙ୍କ ଚିଠି ସାମ୍ନାକୁ ଆସିଛି । ଦୁର୍ଘଟଣାର ପାଖାପାଖି ୩ ମାସ ମାସରୁ ଏଭଳି ଏକ ବଡ଼ ଦୁର୍ଘଟଣା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ସିଗନାଲ ସିଷ୍ଟମରେ ତ୍ରୁଟି କାରଣରୁ ଏହି ବଡ଼ ଦୁର୍ଘଟଣା ଘଟିଥିବା ଉକ୍ତ ଚିଠିରେ କୁହାଯାଇଛି । ଉକ୍ତ ଅଧିକାରୀଙ୍କ ନାମ ହେଉଛି ହରିଶଙ୍କର ବର୍ମା ଓ ସେ ୟୁପିର ରାଜଧାନୀ ଲକ୍ଷ୍ନୌରେ କାର୍ଯ୍ୟରତ । ସେ ୩ ବର୍ଷ ଧରି ଦକ୍ଷିଣ-ପଶ୍ଚିମ ରେଳୱେରେ କାର୍ଯ୍ୟ କରିବା ସମୟରେ ଟ୍ରେନର ଖରାପ ଲାଇନ ବିଷୟରେ ଜାଣିପାରିଥିଲେ । ଏହାପରେ ଶ୍ରୀ ବର୍ମା ରେଲୱେ ବୋର୍ଡକୁ ଚିଠି ଲେଖିଥିଲେ । ମାତ୍ର ଦୁଃଖର କଥା ଏହି ଚିଠି ପାଇବା ପରେ ରେଳ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।