fbpx

ଦେଶୀ ବନ୍ଧୁକ ସହ ୨ ଶିକାରୀ ଗିରଫ, ମୃତ କୁଟୁରା ଜବତ

ଭଞ୍ଜନଗର, (ଭାସ୍କର ନ୍ୟୁଜ୍‌): ଜଙ୍ଗଲରେ ପଶି ବନ୍ୟଜନ୍ତୁ ଶିକାରବେଳେ, ବନବିଭାଗ କରିଛି ଚଢ଼ାଉ । ଏହି ଚଢ଼ାଉବେଳେ ମୃତ ବନ୍ୟଜନ୍ତୁ ଜବତ ସହ ଦୁଇ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ । ଗିରଫ ଶିକାରୀଦ୍ୱୟ ହେଲେ ତିରିକୁମ୍ପା ଗ୍ରାମର ଅମର ବେହେରା ଓ ନାରାୟଣ ପ୍ରଧାନ ।

ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ, ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାସଙ୍କ ତତ୍ତ୍ୱାବଧାନରେ, ବିଭାଗୀୟ କର୍ମଚାରୀମାନେ ଜଗନ୍ନାଥପ୍ରସାଦ ସଂରକ୍ଷିତ ଜଙ୍ଗଲ , ଭାଗ ନଂ – ୭ ରେ , ସୋମବାର ରାତି ପ୍ରାୟ ୧୦ ଟା ସମୟରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ ଉପରୋକ୍ତ ୨ ଶିକାରୀଙ୍କୁ ବନବିଭାଗ କର୍ମଚାରୀ ଗିରଫ କରିଥିଲାବେଳେ ସେମାନଙ୍କ ନିକଟରୁ ଗୁଳିବିଦ୍ଧ ମୃତ କୁଟରା, ଶିକାରରେ ବ୍ୟବହୃତ ଗୋଟିଏ ଦେଶୀ ବନ୍ଧୁକ , ୩ଟି ଜୀବନ୍ତ ଗୁଳି , ଟର୍ଚ୍ଚ, ଶିକାର ସରଞ୍ଜାମକୁ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ବନବିଭାଗ କେସ୍‌ ନମ୍ବର ୩୨୦/ ୨୧-୨୨ ପ୍ରକାରେ ମାମଲା ରୁଜୁ କରାଯାଇଥିଲା । ସହକାରୀ ବନ ସଂରକ୍ଷକ ଅଧିକାରୀ ଏମ୍‌. ମୋତିଲାଲ୍‌ଙ୍କ ଉପସ୍ଥିତିରେ , ସ୍ଥାନୀୟ ପ୍ରାଣୀଧନ ଚିକିତ୍ସାଧିକାରୀ ଡଃ. ନିହାର ରଞ୍ଜନ ସାମନ୍ତରାୟ, ମୃତ କୁଟୁରାର ବ୍ୟବଛେଦ କରିଥିଲେ । ପରେ ତାହାକୁ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଥିଲା । ଏହି ଚଢାଉରେ ଗେରେଡା ବନପାଳ କଳାବଦନ ଦାସ , ଜଗନ୍ନାଥପ୍ରସାଦ ବନପାଳ ଈଶା ଗଣେଶ, ବନରକ୍ଷୀ ପ୍ରଦ୍ୟୁମ୍ନ ବିଷୋୟୀ, ସ୍କ୍ୱାର୍ଡ କର୍ମଚାରୀ ଅଶୋକ ଗୌଡ଼, ଜିତେନ୍ଦ୍ର ସେଠୀ ଓ ଶତ୍ରୃଘନ ବାରିକ ପ୍ରମୁଖ ସାମିଲ୍‌ ଥିଲେ ।

Get real time updates directly on you device, subscribe now.