fbpx

ଆତଙ୍କବାଦୀ ଯାହାଙ୍କୁ ଧର୍ମ ପଚାରି ହତ୍ୟା କଲେ, ଅନାଥ ମୁସଲିମ ଝିଅଙ୍କ ଖର୍ଚ୍ଚ ଉଠାଉଥିଲେ ସେହି ଶିକ୍ଷୟତ୍ରୀ

ଶ୍ରୀନଗର : ଶ୍ରୀନଗରର ଅଲୋଚିବାଗ ଅଞ୍ଚଳରେ ଆରପି ସିଂହଙ୍କ ଘରକୁ ଭିଭିଆଇପି ଲୋକଙ୍କ ଯିବା ଆସିବା ଏବେ କମ ହୋଇ ଯାଇଛି । ସପ୍ତାହେ ପୂର୍ବେ ଏକ ସରକାରୀ ସ୍କୁଲରେ ଆତଙ୍କବାଦୀ ତାଙ୍କ ପତ୍ନୀ ସୁପିନ୍ଦର କୌରଙ୍କୁ ତାଙ୍କର ଧର୍ମ ପଚାରିବା ପରେ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣାରେ ପୁରା ପରିବାର ଶୋକାକୂଳ ମାହୋଲରେ ରହିଛି । ଘାଟିରେ ବର୍ତ୍ତମାନ ସଂଖ୍ୟାଲଘୁ ସମୁଦାୟ ନିଜର ସୁରକ୍ଷାକୁ ନେଇ ଭୟଭୀତ ହୋଇ ପଡିଛନ୍ତି । ଏହି ହମଲାରେ ଦୀପକ ଚନ୍ଦଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଏହି ଆକ୍ରମଣରେ ମୃତ୍ୟୁ ହୋଇଥିବା ପ୍ରିନ୍ସିପାଲ କୌର ବହୁତ ଭଲ ମଣିଷ ଥିଲେ । ସେ ନିଜ ପଡୋଶୀରେ ରହୁଥିବା ଅନାଥ ମୁସଲିମ ଝିଅଙ୍କ ପଢାଖର୍ଚ୍ଚ ବହନ କରୁଥିଲେ ।

ଝେଲମ ନଦୀ କୂଳରେ ତାଙ୍କ ଦୁଇ ମହଲାର ଘର ରହିଛି । ବନ୍ଧୁମାନଙ୍କ ଦ୍ୱାରା ଏକ ବ୍ୟାନର ଲଗାଯାଇଛି । ବ୍ୟାନରରେ ଲେଖା ହୋଇଛି, ଜଣେ ମୁସଲିମ ଅନାଥ ଝିଅ ନିଜର ଶିଖ ଗଡମଦରଙ୍କ ହରାଇଛି । କୌର ନିଜ ଆୟର ଏକ ଅଂଶ ମୁସଲିମ ଅନାଥ ଝିଅଙ୍କ କଲ୍ୟାଣରେ ଖର୍ଚ୍ଚ କରୁଥିଲେ । ସେ ଜଣେ ସ୍କୁଲ ହେଲପରଙ୍କୁ ମଧ୍ୟ ଆର୍ଥିକ ସାହାଯ୍ୟ ଦେଉଥିଲେ । ସୁପିନ୍ଦର କୌରଙ୍କ ସକ୍ରିୟ ସାମାଜିକ କାର୍ଯ୍ୟ ପରେ ମଧ୍ୟ ତାଙ୍କ ସ୍ୱାମୀ ଚାହୁଁନଥିଲେ ଏହାର ପ୍ରଚାର କରାଯାଉ । ସେ କୁହନ୍ତି ଏହା ମୋ ପାଇଁ କିମ୍ବା କୌରଙ୍କ ପାଇଁ କିଛି ବଡ କଥା ନୁହେଁ । ସେ କେବେ ମଧ୍ୟ ଏହାକୁ ପ୍ରଚାର ପ୍ରସାର କରିବାକୁ ଚାହିଁନଥିଲେ । ତାଙ୍କ ଝିଅ ଜସଲିନ କୌର(୧୧) ଏବଂ ପୁଅ ଜସଜିତ ସିଂହ(୪) ଏବେ ମଧ୍ୟ ନିଜ ମାଙ୍କ ମୃତ୍ୟୁକୁ ସ୍ୱୀକାର କରି ପାରୁ ନାହାନ୍ତି ।

ସୁପିନ୍ଦରଙ୍କ ହତ୍ୟା ଶିଖ ସମୁଦାୟଙ୍କୁ ସ୍ତବ୍ଧ କରି ଦେଇଛି । ଏମିତି ଲାଗୁଛି ଯେ, ଏହି ଘଟଣା ଘାଟିରେ ୧.୫ ଲକ୍ଷ ଶିଖଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅତୀତରେ ମଧ୍ୟ ଆତଙ୍କବାଦୀଙ୍କ ହମଲାର ସାମ୍ନା କରିବା ପରେ ବି ସମୁଦାୟ ଏଠାରେ ରହିବାକୁ ପସନ୍ଦ କରିଥିଲେ ।

ଆରପି ସିଂହ କହିଛନ୍ତି, ସରକାରୀ ଅଧିକାରୀ ଏବଂ ରାଜନେତା କହୁଛନ୍ତି ଯେ, ଆମକୁ ସତର୍କ ରହିବା ଉଚିତ୍ । ଏହାର ଅର୍ଥ କଣ ? ଯଦି ଜଣେ ସ୍କୁଲ ଶିକ୍ଷକଙ୍କୁ ଦିନ ଦ୍ୱିପ୍ରହରରେ ଗୁଳି କରି ହତ୍ୟା କରାଯାଉଛି, ତେବେ ଏଥିରେ ସନ୍ଦେଶ କଣ ଯାଉଛି ? ଜଣେ ଜନତାଙ୍କୁ ଏମିତି ସ୍ଥିତିରେ ନିଜର ସୁରକ୍ଷା ଆଶା କେମିତି କରିବ ।

Get real time updates directly on you device, subscribe now.