ନୂଆଦିଲ୍ଲୀ: ଭାରତର ତାରକା ମହିଳା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ସିଙ୍ଗାପୁର ଓପନ ୨୦୨୨ର ଫାଇନାଲରେ ପ୍ରବେଶ କରିଛନ୍ତି। ସେମି ଫାଇନାଲରେ ଜାପାନର ସାୟନା କାଭାକାମିଙ୍କୁ ସେ ମାତ୍ର ୩୧ ମିନିଟ୍ ଖେଳରେ ୨୧-୧୫ ଏବଂ ୨୧-୭ରେ ହରାଇ ସହଜ ବିଜୟ ହାସଲ କରିଛନ୍ତି। ଏହା ପୂର୍ବରୁ ସିନ୍ଧୁ ଏବଂ କାଭାକାମିଙ୍କ ମଧ୍ୟରେ ଦୁଇ ଥର ମୁକାବିଲା ହୋଇଥିଲା। ଉଭୟ ଥର ସିନ୍ଧୁ ବିଜୟୀ ହୋଇଥିଲେ। ମ୍ୟାଚରେ ସିନ୍ଧୁ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଖେଳି ଆଗୁଆ ରହିଥିଲେ ଏବଂ ଏହି ଲୟକୁ ଶେଷ ପର୍ୟ୍ୟନ୍ତ ଜାରି ରଖିଥିଲେ।
ପ୍ରଥମ ଗେମରେ ସିନ୍ଧୁ ୧୧-୮ରେ ଆଗରେ ଥିଲେ। ହେଲେ ଜାପାନୀ ଖେଳାଳି ଦମଦାର ପ୍ରଦର୍ଶନ କରି ଲଗାତାର ତିନି ପଏଣ୍ଟ ହାସଲ କରିଥିଲେ। ଦୁଇ ଖେଳାଳି ସମାନ ସ୍ଥିତିକୁ ଆସିଥିଲେ। ଏହା ପରେ ପ୍ରତିଟି ପଏଣ୍ଟ ପାଇଁ ଦୁଇ ଖେଳାଳିଙ୍କ ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳିଥିଲା। ହେଲେ ସିନ୍ଧୁ ନିଜ ଅଭିଜ୍ଞତାର ଫାଇଦା ଉଠାଇ ଅଗ୍ରଣୀ ହାସଲ କରିବା ସହିତ ପ୍ରଥମ ଗେମକୁ ୨୧-୧୫ରେ ଜିତି ନେଇଥିଲେ।
ଦ୍ଵିତୀୟ ଗେମରେ ଏହି ଲୟକୁ ଜାରି ରଖି ଜାପାନୀ ଖେଳାଳିଙ୍କୁ ପ୍ରତ୍ୟାବର୍ତ୍ତନର କୌଣସି ସୁଯୋଗ ଦେଇନଥିଲେ। ଦ୍ଵିତୀୟ ଗେମକୁ ଅତି ସହଜରେ ୨୧-୭ରେ ସିନ୍ଧୁ ଜିତିଥିଲେ। ଜାପାନୀ ଖେଳାଳି ସିନ୍ଧୁଙ୍କ ସାମ୍ନାରେ ଅସହାୟ ନଜର ଆସିଥିଲେ। ବିଜୟ ସହ ସିନ୍ଧୁ ସିଙ୍ଗାପୁର ଓପନ ଫାଇନାଲରେ ପହଞ୍ଚି ଯାଇଛନ୍ତି।
ଏହା ପୂର୍ବରୁ ସେ କ୍ଵାର୍ଟର ଫାଇନାଲରେ ଦୁନିଆର ୧୯ତମ ଖେଳାଳି ହେନ ୟୁଙ୍କୁ ୧୭-୨୧, ୨୧-୧୧, ୨୧-୧୯ରେ ହରାଇଥିଲେ। ଏହି ମୁକାବିଲା ଏକ ଘଣ୍ଟା ୨ ମିନିଟ୍ ଧରି ଚାଲିଥିଲା। ଜାପାନର କାଭାକାମି କ୍ଵାର୍ଟର ଫାଇନାଲରେ ଥାଇଲାଣ୍ଡର ପୋର୍ଣ୍ଣପାଭିଙ୍କୁ ହରାଇ ସେମିରେ ପହଞ୍ଚିଥିଲେ।