fbpx

ସ୍ପଷ୍ଟ କଲେ ସୀତାରମଣ: ଓଡ଼ିଶା ନୁହେଁ, ଅନ୍ୟ କୌଣସି ରାଜ୍ୟକୁ ବି ମିଳିବନି ସ୍ୱତନ୍ତ୍ର ପାହ୍ୟା

ଭୁବନେଶ୍ୱର: ଓଡ଼ିଶାକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା। କେବଳ ଓଡ଼ିଶା ନୁହେଁ, ଅନ୍ୟ କୌଣସି ରାଜ୍ୟକୁ ବି ଏହି ମାନ୍ୟତା ଦିଆଯିବାର ପ୍ରସ୍ତାବ ନାହିଁ। ଏ ନେଇ ଅର୍ଥ କମିଶନ ତାଙ୍କ ରିପୋର୍ଟରେ ମଧ୍ୟ ସୁପାରିସ କରିଛନ୍ତି। ତେବେ ଆନ୍ଧ୍ରପ୍ରଦେଶ ବିଭାଜନ ସମୟରେ ରହିଥିବା ସର୍ତ୍ତ ଆଧାରରେ ତେଲେଙ୍ଗାନାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀମତୀ ସୀତାରମଣ କହିଥିଲେ ଯେ ମନରେଗା ହେଉଛି ଏକ ଚାହିଦା ଭିତ୍ତିକ ଯୋଜନା। ଲୋକଙ୍କ ଚାହିଦା ବଢିଲେ ବ୍ୟୟବରାଦ ବଢେ।

ତେଣୁ ମନରେଗାରେ ଅର୍ଥ କମାଯାଇଥିବା ନେଇ ଯେଉଁ ଅଭିଯୋଗ ହେଉଛି ତାହା ଠିକ୍ ନୁହେଁ ବୋଲି ସେ କହିବା ସହ ନରେନ୍ଦ୍ର ମୋଦୀ ସରକାର କେନ୍ଦ୍ରରେ ଶାସନ କରିବା ପରେ ମନରେଗାରେ ଦିଆଯାଉଥିବା ପାଣ୍ଠି ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ବିନିଯୋଗ ହେଉଥିବା କହିଥିଲେ। ସେ କହିଥିଲେ ଯେ କେତେକ ରାଜନୈତିକ ଦଳ ମନରେଗାରେ ଅର୍ଥ କମାଯାଇଥିବା ଅଭିଯୋଗ ଆଣି ଏହାକୁ ପ୍ରସଙ୍ଗ କରୁଛନ୍ତି। ସେହିପରି କେତେକ ରାଜ୍ୟ ମଧ୍ୟ ଏହି ଅର୍ଥ ହ୍ରାସ ନେଇ ସମାଲୋଚନା କରିବାକୁ ପଛାଉ ନାହାନ୍ତି। ତେବେ ଏମିତି କେତେକ ରାଜ୍ୟ ରହିଛନ୍ତି, ଯେଉଁମାନଙ୍କୁ ଆର୍ଥିକବର୍ଷ ଆରମ୍ଭରୁ ଅର୍ଥ ଦିଆଯାଉଥିଲେ ମଧ୍ୟ ସେମାନେ ଖର୍ଚ୍ଚ କରିପାରୁ ନାହାନ୍ତି। ଏହି ଯୋଜନାର ବ୍ୟୟବରାଦ ଅତିରିକ୍ତ ବ୍ୟୟବରାଦ ଜରିଆରେ ବଢାଇବାର ବିକଳ୍ପ ରହିଛି ବୋଲି ସେ କହିଥିଲେ।

ସେହିପରି ଶସ୍ୟ ସଂଗ୍ରହ ପାଇଁ ପାଣ୍ଠି ହ୍ରାସ କରାଯିବା ପ୍ରସଙ୍ଗରେ ନିର୍ମଳା କହିଥିଲେ ଯେ କେନ୍ଦ୍ର ସରକାର କୌଣସି ଶସ୍ୟ ସଂଗ୍ରହ ହ୍ରାସ କରିନାହାନ୍ତି। ଚାଷୀଙ୍କୁ ଆବଶ୍ୟକ ପରିମାଣରେ ଦିଆଯାଉଥିବା ଚାହିଦା ବୃଦ୍ଧି ପାଇଛି। ଏମ୍‌ଏସପି ମଧ୍ୟ ବୃଦ୍ଧି କରାଯାଇଛି। ତେଣୁ ଶସ୍ୟକିଣା ପରେ ବି ଚାଷୀଙ୍କୁ ଦିଆଯାଉଥିବା ଅର୍ଥ ମଧ୍ୟ ଅଧିକ ରହୁଛି । ଏମ୍‌ଏସ୍‌ପି ସିଧାସଳଖ ଚାଷୀଙ୍କ ନିକଟକୁ ପଠାଯାଉଛି । ମୋଦୀ ସରକାରଙ୍କ ଅମଳରେ ଚାଷୀଙ୍କଠାରୁ ରେକର୍ଡ ପରିମାଣର ଶସ୍ୟ ସଂଗ୍ରହ କରାଯାଉଥିବା ସେ କହିଥିଲେ । ଆଦାନୀ ପ୍ରସଙ୍ଗରେ ନିର୍ମଳା କହିଥିଲେ ଯେ ତାଙ୍କ ସହ କେନ୍ଦ୍ର ସରକାରଙ୍କର କୌଣସି ସମ୍ପର୍କ ନାହିଁ । ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି । ଷ୍ଟେଟବ୍ୟାଙ୍କ ଓ ସେବି ଏ ନେଇ ସେମାନଙ୍କ ମତ ଦେଇ ସାରିଛନ୍ତି । ଏହି ପ୍ରସଙ୍ଗରେ ଅଧିକ କିଛି କହିବା ଠିକ୍‌ ନୁହେଁ ବୋଲି ସେ କହିଥିଲେ ।

Get real time updates directly on you device, subscribe now.