୧୦ ବର୍ଷ ପରେ ପରିବାରରେ ଜନ୍ମ ନେଇଥିଲା ଏକ ଶିଶୁକନ୍ୟା, ମାତ୍ର ଦିନ କେଇଟାରେ ତାକୁ ବି ଟାଣିନେଲା କରୋନା

ମହାରାଷ୍ଟ୍ର: ମହାରାଷ୍ଟ୍ରରେ କରୋନା ତା’ର ଭୟଙ୍କର ଜଲୱା ଦେଖାଇବାରେ ଲାଗିଛି । ଉଭୟ ବୟସ୍କ ଓ ଯୁବବର୍ଗ ଏଥିରେ ପ୍ରଭାବିତ ହେଉଥିବା ଦେଖାଯାଉଛି । ଖବର ଅନୁଯାୟୀ, ଏବେ ମହାରାଷ୍ଟ୍ରରେ କରୋନା ଶିଶୁମାନଙ୍କୁ ନିଜର ଶିକାର ବନାଉଛି । ଅକୋଲା ଜିଲ୍ଲାର ଜଣେ ୬ ମାସର ଶିଶୁକନ୍ୟା କରୋନାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଜିଲ୍ଲାର ଖାନ୍ ପରିବାରକୁ ଦୀର୍ଘ ୧୦ ବର୍ଷ ପରେ ଏକ ଶିଶୁ କନ୍ୟା ଆସିଥିଲା । ଦୁଇଦିନ ପୂର୍ବରୁ ଶିଶୁଟିକୁ ପ୍ରବଳ ଜ୍ୱର ହୋଇଥିଲା । ମେଡିକାଲରେ ଭର୍ତ୍ତି କରି ତା’ର ଆଣ୍ଟିଜେନା ଟେଷ୍ଟ ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ଗତକାଲି ଶିଶୁଟି ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । କିଛି ଦିନ ପୂର୍ବରୁ ଶିଶୁଟିର ପିତାଙ୍କର ଦେହାନ୍ତ ହୋଇଥିଲା, ମାତ୍ର ଏବେ ଶିଶୁଟି ଚାଲିଯିବା ପରେ ତା’ର ମାଆ ସମ୍ପୂର୍ଣ୍ଣ ଏକୁଟିଆ ହୋଇ ବେସାହାରା ହୋଇପଡ଼ିଛନ୍ତି ।