fbpx

T-20Iକୁ ଫେରିଲେ ଅଧିନାୟକ ରୋହିତ-ବିରାଟ: ଜୁନିୟର ଟିମକୁ ନେଇ ଆଫଗାନିସ୍ତାନକୁ ଭେଟିବ ଭାରତ

Advertisement

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳ ଘୋଷଣା ହୋଇସାରିଛି । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣିଥରେ ଟି-୨୦ ଫର୍ମାଟକୁ ଫେରିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ଏହାସହ ଟିମ ଇଣ୍ଡିଆର ସୁପରଷ୍ଟାର ବିରାଟ କୋହଲି ମଧ୍ୟ ଦଳକୁ କମବ୍ୟାକ କରିଛନ୍ତି । ଆଫଗାନିସ୍ତାନ ବିପକ୍ଷ ଏହି ସିରିଜରେ ଦଳର ନେତୃତ୍ୱ ଭାର ଅଧିନାୟକ ରୋହିତଙ୍କ କାନ୍ଧରେ ରହିଥିବା ବେଳେ ଅଧିକାଂଶ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି ବିସିସିଆଇ ।

ଟି-୨୦ ଫର୍ମାଟରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ ଚାଲିଥିବା ସମସ୍ତ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି ବିସିସିଆଇ । ଆଫଗାନିସ୍ତାନ ବିପକ୍ଷରେ ଟିମ ଇଣ୍ଡିଆକୁ ପୁଣିଥରେ କମବ୍ୟାକ କରୁଛନ୍ତି ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି । ଜାନୁୟାରୀ ୧୧ ତାରିଖରେ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜରେ ପୁଣିଥରେ ଅଧିନାୟକ ପଦରେ ପ୍ରତ୍ୟାବର୍ତ୍ତନ କରିବେ ରୋହିତ । ୨୦୨୨ ପରେ ପ୍ରଥମ ଥର ପାଇଁ ରୋହିତ ଏବଂ ବିରାଟ କୌଣସି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଯାଉଛନ୍ତି ।

ତେବେ ଏହି ସିରିଜରେ ଟି-୨୦ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଟି-୨୦ର ସର୍ବଶ୍ରେଷ୍ଠ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ସହ ଷ୍ଟାର ଓପନର ଋତୁରାଜ ଗାଏକ୍ୱାଡ ମଧ୍ୟ ବାଦ୍ ପଡ଼ିଛନ୍ତି । ଆହତ ସମସ୍ୟା ପାଇଁ ଏହି ୩ ଜଣ ଖେଳାଳିଙ୍କୁ ଦଳରେ ସୁଯୋଗ ମିଳି ପାରିନାହିଁ । ସେହିପରି ବିଶ୍ରାମ ପାଇଁ ଇଶାନ କିଶାନ ମଧ୍ୟ ଏହି ସିରିଜରୁ ବାଦ୍ ପଡ଼ିଛନ୍ତି । ଏହାବ୍ୟତୀତ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ୟର୍କର କିଙ୍ଗ ଜଶପ୍ରୀତ ବୁମରାହ ଏବଂ ସିରାଜଙ୍କୁ ମଧ୍ୟ ଏହି ସିରିଜ ପାଇଁ ବିଶ୍ରାମ ଦିଆଯାଇଛି । ତେଣୁ ଆଫାଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ବୋର୍ଡ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି ।

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ଯଶସ୍ୱୀ ଜଏସ୍ୱାଲ, ବିରାଟ କୋହଲି, ତିଲକ ବର୍ମା, ରିଙ୍କୁ ସିହ, ଜିତେଶ ଶର୍ମା, ସଞ୍ଜୁ ସାମସନ, ଶିବମ ଦୁବେ, ୱାଶିଂଟନ ସୁନ୍ଦର, ଅକ୍ସର ପଟେଲ, ରବି ବିଷ୍ଣୋଇ, କୁଳଦୀପ ଯାଦବ, ଅର୍ଶଦୀପ ସିଂହ, ଆବେଶ ଖାନ୍ ଏବଂ ମୁକେଶ କୁମାର ।

Get real time updates directly on you device, subscribe now.