fbpx

ଶୈବପୀଠମାନଙ୍କରେ ନିଷେଧ ହେଲା ଗଞ୍ଜେଇ, ପ୍ରସାଦ ବାହାନାରେ ଆଉ ଚାଲିବନି ଚିଲମ ଟଣା

ଭୁବନେଶ୍ୱର: ଶୈବପୀଠମାନଙ୍କରେ ଗଞ୍ଜେଇ ଟଣାକୁ ରାଜ୍ୟ ସରକାର ନିଷେଧ କରିଛନ୍ତି । ମନ୍ଦିରରେ ପ୍ରସାଦ ବାହାନାରେ ଚିଲମ ଟଣା ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ସଂପର୍କରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଗତ ୧୦ ତାରିଖରେ ବିଭାଗୀୟ ନିର୍ଦ୍ଦେଶକ ଦିଳୀପ ରାଉତରାୟ ଏ ସଂପର୍କରେ ଚିଠି ଲେଖି ଶୈବପୀଠମାନଙ୍କରେ ଗଞ୍ଜେଇ ବ୍ୟବହାର ବନ୍ଦ ପାଇଁ ପଦକ୍ଷେପ ନେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ସୂଚନା ଅନୁଯାୟୀ, ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ରାଜ୍ୟର ପ୍ରମୁଖ ଶୈବପୀଠ ଆଖଣ୍ଡଳମଣିଙ୍କ ପୀଠରେ ବହୁଳ ଭାବେ ଗଞ୍ଜେଇ ବ୍ୟବହାରକୁ ନେଇ ସଂସ୍କୃତି ବିଭାଗରେ ଅଭିଯୋଗ କରାଯାଇଥିଲା । ଏଥିରେ କୁହାଯାଇଛି ଯେ, ଭଗବାନ ଶିବ କେବେ ହେଲେ ଗଞ୍ଜେଇ ଟାଣନ୍ତି ନାହିଁ । ପରବର୍ତ୍ତୀ ସମୟରେ ଏହା ଅନ୍ଧବିଶ୍ୱାସରେ ପରିଣତ ହୋଇଛି । ଏହି ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଶୈବପୀଠକୁ ନିଶାମୁକ୍ତ କରାଯାଉ ବୋଲି କୁହାଯାଇଛି ।

ତେବେ ଏହି ନିର୍ଦ୍ଦେଶନାମାକୁ କେତେଦୂର ପାଳନ କରାଯିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଏହି ଚିଠିରେ ନିର୍ଦ୍ଦେଶକୁ ଅବମାନନା କରାଗଲେ, ସେମାନଙ୍କ ବିରୋଧରେ କେଉଁ କାର୍ଯ୍ୟନୁଷ୍ଠାନ ନିଆଯିବ ସେନେଇ କିଛି ଉଲ୍ଲେଖ ନାହିଁ । ତେବେ ଏହା କାର୍ଯ୍ୟକାରୀ ହେବ ନା ସେପରି ପଡିରହିବ ତାହା ସମୟ କହିବ ।

Get real time updates directly on you device, subscribe now.