fbpx

ଲିଭର କ୍ୟାନସରର କାରଣ ସାଜିପାରେ ସୋଡ଼ା ଓ ପ୍ୟାକେଡ୍ ଜୁସ୍: ୨୦ ବର୍ଷର ରିସର୍ଚ୍ଚ ପରେ ରିପୋର୍ଟ ବଢ଼ାଇଲା ଚିନ୍ତା

ନୂଆଦିଲ୍ଲୀ: ଅନେକ ଲୋକ ବିଭିନ୍ନ ପ୍ରକାରର ପାନୀୟ ବିଶେଷ କରି ମିଠା ପାନୀୟ ସେବନ କରିବାକୁ ଅଧିକ ପସନ୍ଦ କରିଥାନ୍ତି । ତେବେ ଏହି ମିଠା ପାନୀୟ ସେମାନଙ୍କ ପାଇଁ କାଳ ସାଜିପାରେ । ସୋଡ଼ା ଓ ପାକେଡ୍ ଜୁସ ଦୀର୍ଘଦିନ ଧରି ସେବନ କରିବା ଫଳରେ ତାହା ମେଦବହୁଳତା ଓ ଅନ୍ୟ କ୍ରୋନିକ ରୋଗର କାରଣ ସାଜିପାରେ । ବିଶେଷ କରି ମହିଳମାନେ ଯକୃତ କର୍କଟ ଓ ଯକୃତ ରୋଗର ଶିକାର ହୋଇ ପାରନ୍ତି ।

ଆମେରିକାର ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଏହି ରିସର୍ଚ୍ଚର ଫଳାଫଳ ନିକଟରେ ଜାମା ପତ୍ରିକାରେ ପ୍ରକାଶିତ ହୋଇଛି । ପାନୀୟକୁ ପସନ୍ଦ କରୁଥିବା ୫୦ରୁ ୭୯ ବର୍ଷ ବୟସର ପାଖାପାଖି ୧ ଲକ୍ଷ ଆମେରିକୀୟ ମହିଳାଙ୍କୁ ଏହି ଷ୍ଟଡିରେ ସାମିଲ କରାଯାଇଥିଲା । ଏହାପରେ ରିସର୍ଚ୍ଚ ଟିମ ପକ୍ଷରୁ ସମସ୍ତ ମହିଳାଙ୍କର ସ୍ୱାସ୍ଥ୍ୟ ଉପରେ ନିରନ୍ତର ଭାବେ ୨୦ ବର୍ଷ ପର୍ଯ୍ୟନ୍ତ ନଜର ରଖାଯାଇଥିଲା । ୧୯୯୦ ମସିହା ପ୍ରାରମ୍ଭରେ ଏହି ରିସର୍ଚ୍ଚ ଆରମ୍ଭ କରାଯିବା ସମୟରେ ଅଂଶଗ୍ରହଣକାରୀଙ୍କର ପିଇବା ପ୍ରଣାଳୀ ଉପରେ ଧ୍ୟାନ ଦିଆଯାଇଥିଲା ।

ଏହାପରେ ନିୟମିତ ଭାବେ ମିଠା ପାନୀୟ ସେବନ କରୁଥିବା ମହିଳା ଓ କମ୍ ପାନୀୟ ସେବନ କରୁଥିବା ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ପରୀକ୍ଷା କରାଯାଇଥିଲା । ତେବେ ୧୩ ପ୍ରତିଶତ ମହିଳା ନିୟମିତ କୃତ୍ରିମ ମିଠା ସହିତ ପାନୀୟ ସେବନ କରୁଥିବା ବେଳେ ୭ ପ୍ରତିଶତ ମହିଳା ଦୈନିକ ମିଠା ସହିତ ପାନୀୟ ପିଇଥିବା ଜଣାପଡ଼ିଥିଲା । ମାସକୁ ୩ ବା ତା’ଠାରୁ କମ୍ ଥର ମିଠା ପାନୀୟ ସେବନ କରୁଥିବା ମହିଳାଙ୍କ ଅପେକ୍ଷା ଦୈନିକ ଅତିକମରେ ଥରେ ମିଠା ପାନୀୟ ସେବନ କରୁଥିବା ମହିଳାଙ୍କଠାରେ ୧.୭୫ ଗୁଣ ଅଧିକ ଯକୃତ କ୍ୟାନସର ଆଶଙ୍କା ରହିଥିବା ଜଣାପଡ଼ିଥିଲା । ଦୈନିକ ପାନୀୟ ସେବନକାରୀଙ୍କ କ୍ଷେତ୍ରରେ ୨.୫ ଗୁଣ ଅଧିକ କ୍ରୋନିକ ଲିଭର ରୋଗ ଆଶଙ୍କା ରହିଥିଲା ।

Get real time updates directly on you device, subscribe now.