fbpx

‘ମାନବାଧିକାର ନାମରେ ଦେଶର ଛବିକୁ ଖରାପ କରୁଛନ୍ତି କିଛି ଲୋକ, ଆମକୁ ସାବଧାନ ରହିବାକୁ ପଡିବ’

ନୂଆଦିଲ୍ଲୀ : କିଛି ଲୋକ ମାନବାଧିକାର ନାମରେ ଦେଶର ଛବି ଖରାପ କରିବାକୁ ଚେଷ୍ଟା କରୁଛନ୍ତି । ଆମକୁ ଏମିତି ଲୋକଙ୍କ ପ୍ରତି ସାବଧାନ ରହିବାର ଆବଶ୍ୟକତା ରହିଛି । ଜାତୀୟ ମାନବାଧିକାର ଆୟୋଗର ସ୍ଥାପନା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏମିତି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିସହ ମାନବାଧିକାର ଏବଂ ମହିଳାଙ୍କ ପାଇଁ ହୋଇଥିବା କାର୍ଯ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି, ମହିଳାଙ୍କ ସୁରକ୍ଷା ପାଇଁ ୭୦୦ ଜିଲ୍ଲାରେ ୱାନ ଷ୍ଟପ୍ ସେଣ୍ଟର ସ୍ଥାପନ କରାଯାଇଛି । ଏଠାରେ ମେଡିକାଲ, ପୋଲିସ, ମେଣ୍ଟାଲ କାଉନସେଲିଂ ଏବଂ ଲିଗାଲ ସାହାଯ୍ୟ ଯୋଗାଇ ଦିଆଯାଏ । ଏହା ବ୍ୟତୀତ ୬୫୦ରୁ ଅଧିକ ଫାଷ୍ଟ ଟ୍ରାକ ମଧ୍ୟ ସ୍ଥାପନ କରାଯାଇଛି । ଏଥିରେ ଦୁଷ୍କର୍ମ ପରି ସଙ୍ଗୀନ ମାମଲାର ଶୁଣାଣି କରାଯାଉଛି ।

 

ମୁସଲିମ ମହିଳାଙ୍କ ଅଧିକାରର ରକ୍ଷା ପାଇଁ ତିନି ତଲାକ ବିରୋଧରେ ଆଇନ ତିଆରି ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଦଶନ୍ଧି ଧରି ମୁସଲିମ ମହିଳା ତିନି ତଲାକ ବିରୋଧରେ ଆଇନ ଦାବି କରୁଥିଲେ । ଆମେ ସେମାନଙ୍କୁ ତାଙ୍କର ଅଧିକାର ପ୍ରଦାନ କରିଛୁ । ଏହା ବ୍ୟତୀତ ହଜ ସମୟରେ ମୁସଲିମ ମହିଳାଙ୍କୁ ଆମେ ମହରମରୁ ମୁକ୍ତ କରିବାର କାମ କରିଛୁ । ନିଜ ସରକାରର ପ୍ରଶଂସା କରି ମୋଦୀ କହିଛନ୍ତି, ଗରିବ ଲୋକଙ୍କୁ ଶୌଚାଳୟ, ରୋଷେଇ ଗ୍ୟାସ୍ ପରି ମୌଳିକ ସୁବିଧା ଯୋଗାଇ ଦେଇଛୁ । ଲୋକଙ୍କ ଆକାଂକ୍ଷା ମଧ୍ୟ ବଢିଛି ଏବଂ ଏବେ ସେମାନଙ୍କୁ ନିଜର ଅଧିକାର ବିଷୟରେ ସୂଚନା ମିଳୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ମହିଳାଙ୍କ ପାଇଁ ୨୬ ସପ୍ତାହର ମାତୃତ୍ୱ ଅବକାଶ ପ୍ରାବଧାନ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ସ୍ୱାଧୀନତା ପାଇଁ ସଂଘର୍ଷ ଏବଂ ଆମର ଇତିହାସର ମାନବବାଦ ମୂଲ୍ୟ ଆମ ପାଇଁ ପ୍ରେରଣାର ଏକ ବଡ ସ୍ରୋତ । ସ୍ୱାଧୀନତା ପରେ ଭାରତରେ ଗଣତନ୍ତ୍ର ଓ ଅଧିକାର ବଜାୟ ରହିଛି । ମାତ୍ର ଏମିତି ଅନେକ ଦେଶ ଅଛନ୍ତି, ଯେଉଁଠି ଗତ ଦଶନ୍ଧିରେ ଜନତାଙ୍କ ଅଧିକାର ଛଡାଇ ନିଆଯାଇଛି ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାନବାଧିକାରକୁ ନେଇ ଦେଶର ଛବିକୁ ମଳିନ କରୁଥିବା ଲୋକଙ୍କ ଉପରେ ମଧ୍ୟ ହମଲା କରିଛନ୍ତି । ସେ କହିଛନ୍ତି, କିଛି ଲୋକ କୌଣସି ଘଟଣାରେ ମାନବାଧିକାରର ଉଲ୍ଲଂଘନର କଥା କୁହନ୍ତି ଏବଂ ସେହି ସମାନ ଅନ୍ୟ କେଉଁଠି ଘଟିଲେ ନିରବ ରୁହନ୍ତି । ଏହି ଧରଣର ସିଲେକ୍ଟିଭ ବ୍ୟବହାର ଗଣତନ୍ତ୍ର ପାଇଁ ହାନୀକାରକ । ଏମିତି ଲୋକ ନିଜ ବ୍ୟବହାରରେ ଦେଶର ଛବିକୁ ଖରାପ କରିବାକୁ ଉଦ୍ୟମ କରନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୃହ ମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଉପସ୍ଥିତ ଥିଲେ ।

 

Get real time updates directly on you device, subscribe now.