ଲଣ୍ଡନ ଫେରନ୍ତା ପୁଅ ସଂପତ୍ତି ପାଇଁ ନିଜ ମାଆକୁ ଜାଳିଦେଲା, ରୋଷେଇ ଘରୁ ମିଳିଲା ହତ୍ୟାର ପ୍ରମାଣ

ନୂଆଦିଲ୍ଲୀ: ଦିଲ୍ଲୀ କୀର୍ତି ନଗର ଅଂଚଳରେ ଗତ ମଙ୍ଗଳବାର ଦିନ ଏକ ୭୮ ବର୍ଷୀୟ ବୃଦ୍ଧ ମହିଳା ରୋଷେଇ ଘରେ ପୋଡିହୋଇ ପ୍ରାଣ ହରାଇଥିଲେ । ଆରମ୍ଭରୁ ଲାଗୁଥିଲା ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ କିନ୍ତୁ ପରେ ଜଣାପଡିଲା ଯେ, ଏହା ଦୁର୍ଘଟଣା ନୁହେଁ ଏକ ହତ୍ୟାକାଣ୍ଡ ଅଟେ । ଲଣ୍ଡନରୁ ଫେରିଥିବା ଏହି ବୃଦ୍ଧଙ୍କ ପୁଅ, ସଂପତ୍ତି ପାଇଁ ନିଜ ମାଆକୁ ପୋଡି ମାରିଦେଇଥିବା କଥା ସାମ୍ନାକୁ ଆସିଛି । କିନ୍ତୁ ରୋଷେଇ ଘରେ କାର୍ଡବୋର୍ଡ ଖଣ୍ଡକୁ ଦେଖି ପ୍ରକୃତ କଥା ସାମ୍ନାକୁ ଆସିଥିଲା ।

ପୋଲିସ କହିବା ଅନୁସାରେ, ରବିବାର ଦିନ ରାତିରେ କୀର୍ତି ନଗରର ମାନସରୋବର ଗାର୍ଡେନ ସ୍ଥିତ ଫ୍ଲାଟରେ ନିଆଁ ଲାଗିଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଁଚିବା ପରେ ସରିନ୍ଦର ସିଂହ ଏବଂ ତାଙ୍କ ମାଆ ମହିନ୍ଦର କୌର ବେହୋସ ଅବସ୍ଥାରେ ପଡିଥିଲେ । ଏହା ପରେ ଦୁଇ ଜଣଙ୍କୁ ହସ୍ପିଟାଲ ନିଆଯିବା ପରେ ମାଆକୁ ମୃତ ଘୋଷଣା କରାଯାଇଥିଲା । ପୁତ୍ରର ସ୍ୱାସ୍ଥ୍ୟବସ୍ଥା ଠିକ ନ ହେବାରୁ ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା ।

ପୋଲିସକୁ ତାଙ୍କ ପୁଅ ଉପରେ ସନ୍ଦେହ ହେବାରୁ ସେ ତଦନ୍ତ ଆରମ୍ଭ କରିଥିଲେ ଏବଂ ପରେ ଏହି ସବୁ ଘଟଣା ସାମ୍ନାକୁ ଆସିଛି । ଯେଉଁଦିନ ଏହି ଘଟଣାଟି ଘଟିଥିଲା ସେହିଦିନ ମାଆ ପୁଅଙ୍କ ମଧ୍ୟରେ ସଂପତ୍ତିକୁ ନେଇ ଝଗଡା ହୋଇଥିଲା । ଦୁଇଜଣ ନିଜ ନିଜ ରୁମରେ ଶୋଇବାକୁ ଯାଇଥିଲେ । ଏହାପରେ ଏପରି ଘଟଣା ଘଟିଛି । ତଦନ୍ତରେ ଜଣାପଡିଛି ଯେ, ଗ୍ୟାସର ଦୁଇଟି ଚୁଲା ଜଳାଯାଇ ତା ନିକଟରେ କାଗଜ ଗୁଡିକ ରଖାଯାଇଥିଲା । ସେହି କାଗଜ ଜଳିବା ପରେ ସମସ୍ତ ଘରେ ନିଆଁ ଲାଗିଯାଇଥିଲା ।

ମହିଳାଙ୍କ ଶବ ଗେଟ ପାଖେ ମିଳିଥିବା ବେଳେ ପୁଅକୁ ପାହାଚ ଉପରେ ମିଳିଥିଲା । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ମହିଳା ଜଣକ ନିଜକୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରିଥିଲେ ହେଲେ ବଂଚିପାରିନଥିଲେ । ସମସ୍ତ ଶରୀରେ ନିଆଁ ଲାଗି ତାଙ୍କର ପ୍ରାଣ ହାନି ହୋଇଥିଲା । ଏହି ସମସ୍ତ ଘଟଣା ପାଇଁ ପୋଲିସ ତାଙ୍କ ପୁଅଙ୍କୁ ଗିରଫ କରିଛି ।