୨୦୨୪ରେ କିଏ କରିବ ମୋଦୀଙ୍କ ସହ ମୁକାବିଲା? ସୋନିଆ ଗାନ୍ଧୀ ଆଜି କରିବେ ବିରୋଧୀଙ୍କ ସହ ବୈଠକ, ପଢ଼ନ୍ତୁ ପୂରା ଖବର

ନୂଆଦିଲ୍ଲୀ: ୨୦୨୪ ପାଇଁ ଏବେ ଠାରୁ ଅଣ୍ଟା ଭିଡ଼ିଲାଣି କଂଗ୍ରେସ । ମୋଦୀଙ୍କ ସହ ମୁକାବିଲା କରିବା ପରିପ୍ରେକ୍ଷୀରେ ଏବେ ଠାରୁ ବିରୋଧୀଙ୍କ ସହ ଗୋଟି ଚାଳନା କରିବା ଆରମ୍ଭ କରିଛି କଂଗ୍ରେସ । ତେବେ ଆଜି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ବିପକ୍ଷ ଦଳର ନେତା ମାନଙ୍କ ସହ ୨୦୨୪ ପାଇଁ ଭିଡିଓ କନଫରେନ୍ସ ମାଧ୍ୟମରେ ଏକ ବୈଠକ ଡାକିଛନ୍ତି । ଏଥିରେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ସାମିଲ୍ ରହିପାରନ୍ତି । ବର୍ତ୍ତମାନ ଦେଶରେ ଜାରୀ ରହିଥିବା ବିଭିନ୍ନ ପ୍ରକାରର ସମସ୍ୟାକୁ ଆଧାର କରି ସରକାରଙ୍କୁ ଘେରିବା ଚାଲ୍ ରେ ରହିଛନ୍ତି । ତେଣୁ ଏହି ବୈଠକ ଡକାଇଛନ୍ତି ।

ବିରୋଧୀ ଦଳ, ଜାତୀୟ ସ୍ତରରେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୁକାବିଲା ପାଇଁ ଏକଜୁଟ ହେବା ପାଇଁ ପ୍ରୟାସ କରୁଛି । ଯାହାଦ୍ୱାରା ଆସନ୍ତା ଲୋକସଭା ନିର୍ବାଚନରେ ବିପକ୍ଷ ଦଳ ପକ୍ଷରୁ ଏକ ବଡ଼ ଚ୍ୟାଲେଞ୍ଜ ଦେଇ ପାରିବେ । ସଂସଦରେ ଶେଷ ହୋଇଥିବା ମୌସୁମୀ ଅଧିବେଶନରେ ପେଗାସସ୍ ଗୁପ୍ତଚର ବିବାଦ, କୃଷକ ଆନ୍ଦୋଳନ ଏବଂ ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ବିରୋଧୀ ଦଳଙ୍କ ଏକତା ଦେଖିବାକୁ ମିଳିଥିଲା । ସଂସଦର ଅନେକ ସମୟ ବିରୋଧୀଙ୍କ ହଙ୍ଗାମା ପାଇଁ ନଷ୍ଟ ହେଲା ।

ତେବେ ଆଜି ସୋନିଆ ଗାନ୍ଧୀ ଭର୍ଚୁଆଲ ବୈଠକକୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାରଙ୍କ ସମେତ ଅନେକ ବିରୋଧୀଦଳଙ୍କୁ ନିମନ୍ତ୍ରଣ କରାଯାଇଛି। ପେଗାସସ୍ ଗୁପ୍ତଚର ବିବାଦ ତଥା ସଂସଦରେ ନିକଟରେ ଶେଷ ହୋଇଥିବା ମୌସୁମୀ ଅଧିବେଶନରେ ହୋଇଥିବା ଉତ୍ତେଜନାକୁ ନେଇ ସୋନିଆ ଗାନ୍ଧୀ ଏହି ବୈଠକ ଡାକିଛନ୍ତି।