fbpx

ଗ୍ରାମାଞ୍ଚଳରେ ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ଏସଓପି

ନୂଆଦିଲ୍ଲୀ, ୧୬/୦୫(ଓଡିଶା ଭାସ୍କର): ଗ୍ରାମାଞ୍ଚଳ ମାନଙ୍କରେ କରୋନା ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ଆଧାରରେ ରବିବାର କେନ୍ଦ୍ର ସରକାର ନୂତନ ଗାଇଡଲାଇନ୍ ଜାରି କରିବା ସହିତ ଏହାର ମୁକାମିଲା ସମ୍ପର୍କରେ ମତ ପ୍ରକାଶ କରି କହିଛନ୍ତି ଯେ, ଗାଁ, ମଫସଲ ଆଦି ଅଞ୍ଚଳରେ କରୋନା ଆସ୍ତେ ଆସ୍ତେ ବ୍ୟାପିବାରେ ଲାଗିଲାଣି । ତେଣୁ ଏହି ସବୁ ଅଞ୍ଚଳ ମାନଙ୍କରେ ଜଣକୁ ବ୍ୟାପିଲେ ସମସ୍ତଙ୍କୁ ବ୍ୟାପିବାର ଆଶଙ୍କା ଅଧିକ ରହିଛି । ତେଣୁ ଏ କ୍ଷେତ୍ରରେ ଧ୍ୟାନ କେନ୍ଦିଭୂତ କରିବା ଜରୁରୀ ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ୍ ଉନ୍ମୋଚନ କରି କୁହାଯାଇଛି ଯେ, ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଗ୍ରାମାଞ୍ଚଳ ମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯିବ । ତେଣୁ ପ୍ରାଥମିକ ସ୍ତରରେ ଉପରୋକ୍ତ ଅଞ୍ଚଳ ଗୁଡିକରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ ସେଠାରେ ରହୁଥିବା ସମ୍ପ୍ରଦାୟ ମାନଙ୍କୁ ସଚେତନ ରହିବାକୁ କହିବା ଏବଂ ସେମାନଙ୍କୁ ସମର୍ଥ କରାଇବା । ଗାଇଡଲାଇନ୍ରେ ଗ୍ରାମାଞ୍ଚଳ ମାନଙ୍କରେ ସ୍କ୍ରିନିଂ, ଟେଷ୍ଟିଂ, ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସମ୍ପର୍କରେ ଯାଞ୍ଚ କରିବା ଏବଂ କ୍ୱାରେନଣ୍ଟାଇନ୍କୁ ଗୁରୁତ୍ୱ ଦିଆଯାଇଛି । ୫୦୦ ଏମ୍ଜି ପାରାସିଟାମଲ୍, ଆଇଭର୍ମେକ୍ଟିନ୍, କଫ୍ ସିରପ୍, ମଲ୍ଟିଭିଟାମିନ୍ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ‘ହୋମ୍ଆଇସୋଲେସନ୍ କିଟ୍’ ଯୋଗାଇ ଦିଆଯିବ ।

ଏଥିସହିତ ଗ୍ରାମ୍ୟ ସ୍ୱାସ୍ଥ୍ୟ ପରିମଳ ଓ ପୋଷକତତ୍ତ୍ବ କମିଟି ସହାୟତାରେ ‘ଆଶା ଦିଦି ମାନେ ପ୍ରତ୍ୟେକ ଗାଁରେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଥଣ୍ଡା, ଜ୍ୱର ଭଳି ଅସୁସ୍ଥତା/ଅତି ଉତ୍କଟ ଶ୍ବାସନଳୀ ସଂକ୍ରମଣ ଚିହ୍ନଟ ପାଇଁ ସକ୍ରିୟ ଅନୁଧ୍ୟାନ କରିବେ । ଏହାବାଦ୍ ଟେଲି ପରାମର୍ଶ ଦ୍ୱାରା ସଂକ୍ରମଣର ଗଭୀରତାକୁ ଦେଖି ଅନ୍ୟାନ୍ୟ ଶାରୀରିକ ସମସ୍ୟା ଥିବା ଏବଂ ଅକ୍ସିଜେନ୍ ଅଭାବ ଦେଖାଦେଇଥିବା ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସୁପାରିଶ କରିବା ନେଇ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ କାର୍ଯ୍ୟରତ ଥିବା ଅଧିକାରୀ ମାନଙ୍କୁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟିଂ କରିବା ପାଇଁ ତାଙ୍କୁ ଦିଆଯିବା ଆବଶ୍ୟକ ରହିଛି ବୋଲି ଗାଇଡଲାଇନ୍ ରେ ଦର୍ଶାଯାଇଛି ।

ଖାଲି ସେତିକି ନୁହେଁ, ‘ଇଣ୍ଟିଗ୍ରେଟେଡ୍ ଡିଜିଜ୍ ସର୍ଭିଲେନ୍ସ୍ ପ୍ରୋଗ୍ରାମ୍’  ଗାଇଡଲାଇନ୍ ଆଧାରରେ ‘କଣ୍ଟାକ୍ଟ୍ ଟ୍ରେସିଙ୍ଗ୍’ ଉପରେ ଧ୍ୟାନ ଦେବାକୁ ଆଜି ରିଲିଜ୍ ହୋଇଥିବା ଗାଇଡଲାଇନ୍ ରେ  କୁହାଯାଇଛି । ଯେଉଁମାନେ କୋଭିଡ୍ ପଜିଟିଭ୍ ବାହାରିବେ ସେମାନେ ମନ୍ତ୍ରାଳୟ ଦ୍ୱାରା ଜାରି ନିୟମାବଳୀ ଅନୁସାରେ ‘ହୋମ୍-କ୍ବାରେଣ୍ଟିନ୍’ରେ ରହିବେ । ଅକ୍ସିଜେନ୍ ଲେବଲ୍ ଉପରେ ଧ୍ୟାନ ରଖିବା ଉପରେ ଗୁରୁତ୍ୱାରୋପ କରି ମନ୍ତ୍ରାଳୟ ‘ଭିଏଚ୍ଏସ୍ଏନ୍ସି’କୁ ନିର୍ଦ୍ଦେଶ ଦେଇଛି ଯେ, ସମ୍ବଳ ବିନିଯୋଗ କରି ସ୍ଥାନୀୟ ‘ପିଆର୍ଆଇ’ ଜରିଆରେ ସେଥିପାଇଁ ଆବଶ୍ୟକ ଉପକରଣଗୁଡ଼ିକର ବ୍ୟବସ୍ଥା କରାଯିବା ଉଚିତ । ଗ୍ରାମାଞ୍ଚଳର ପରିବାରମାନଙ୍କୁ ଥର୍ମୋମିଟର୍ ଏବଂ ପଲ୍ସ୍ ଅକ୍ସିମିଟର୍ ଦେବା ସହ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ଲାଗି ପ୍ରତ୍ୟକ୍ଷ ସ୍ବାସ୍ଥ୍ୟସେବା କର୍ମୀ/ସ୍ବେଚ୍ଛାସେବୀ/ଶିକ୍ଷକମାନଙ୍କୁ ଉପଯୋଗ କରାଯିବା ଉଚିତ ।

Get real time updates directly on you device, subscribe now.